ଭାଲୁ ଆକ୍ରମଣରେ ଜଣେ ଗୁରୁତର


ପରଜଙ୍ଗ, ୭।୧୨(ଡି.ଏନ.ଏ)- ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ରେଞ୍ଜ ଡିହୋଡୋଳ ଫରେଷ୍ଟ ସେକ୍ସନ ଅଧୀନ ପାଣିଗେଣ୍ଡୁଟିଆ ଗାଁ ନିକଟ ପରଜଙ୍ଗ ବ୍ରାଞ୍ଚ କେନାଲ ନିକଟରେ ଗୁରୁବାର ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସେ ହେଲେ ଆମ୍ବପଳାସ ପଞ୍ଚାୟତ ବରକଟା ଗ୍ରାମର ନରେଶ ପୂର୍ତ୍ତି। ତାଙ୍କୁ ପ୍ରଥମେ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ ତାଳଚେର ମଣ୍ଡପାଳ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପ୍ରକାଶ ଯେ, ପରଜଙ୍ଗ ବ୍ରାଞ୍ଚ କେନାଲରେ କାମ କରୁଥିବା କିଛି ଶ୍ରମିକଙ୍କ ପରିବାରକୁ ଭେଟିବାକୁ ନରେଶ ଓ ଶ୍ରୀକାନ୍ତ ତିରିଆ ଆସିଥିଲେ। ଏହାପରେ କିଛି ଜାଳେଣି କାଠ ସଂଗ୍ରହ ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ଶ୍ରୀକାନ୍ତ ଏକ ଗଛରେ ଚଢି କାଠ ଭାଙ୍ଗି ତଳେ ପକାଉଥିବାବେଳେ ନରେଶ ଗଛତଳେ କାଠଗୁଡ଼ିକୁ ସଜାଡ଼ି ରଖୁଥିଲେ। ହଠାତ୍‌ ସେହି ସମୟରେ ଏକ ମାଈ ଭାଲୁ ଓ ୪ଟି ଛୁଆ ଭାଲୁ ଗଛ ପାଖକୁ ଆସିଥିଲେ। ଭାଲୁଙ୍କୁ ଦେଖି ନରେଶ ଭୟଭୀତ ହୋଇ ଗଛକୁ ଚଢୁଥିବାବେଳେ ଭାଲୁଟି ତାଙ୍କ ମୁଣ୍ଡକୁ ନଖରେ ରାମ୍ପି ଦେଇଥିଲା। ଫଳରେ ନରେଶ ସେହି ଗଛମୂଳରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଥିଲେ। ଭାଲୁଟି ସେଠାରୁ ପଲାଇ ଯିବାପରେ ଶ୍ରୀକାନ୍ତ ନରେଶଙ୍କୁ ଗଛ ଉପରକୁ ଟାଣି ନେଇଥିଲେ। ଉଭୟେ ଗଛ ଉପରେ ରହିଥିବାବେଳେ ଭାଲୁପଲ ପୁଣି ସେଠାକୁ ଆସି ଦୀର୍ଘ ୨ ଘଣ୍ଟା ଧରି ଗଛ ତଳେ ଉଭୟଙ୍କୁ ଜଗି ରହିଥିଲେ। ଶ୍ରୀକାନ୍ତ ଗଛ ଉପରେ ଥାଇ ଫୋନ ଯୋଗେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ପରେ ଲୋକେ ଠେଙ୍ଗାବାଡ଼ି ଧରି ଆସି ଭାଲୁକୁ ଘଉଡ଼ାଇବା ପରେ ୨ ଜଣ ଗଛରୁ ଓହ୍ଲାଇଥିଲେ। ପରେ ନରେଶଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଖବରପାଇ ମହାବିରୋଡ଼ ରେଞ୍ଜର ସୁରେଶ ଚନ୍ଦ୍ର ବେହେରା, ଡିହୋଡୋଳ ଫରେଷ୍ଟର ହରମୋହନ ନାୟକ ପହଞ୍ଚି ନରେଶଙ୍କ ଚିକିତ୍ସା ପାଇଁ ୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri