ସ୍କୁଲରେ ତାଲା ଠୁଙ୍କିଲେ ଗ୍ରାମବାସୀ


କାମାକ୍ଷାନଗର, ୬।୧୨(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ବାଇସିଙ୍ଗା ପଞ୍ଚାୟତ ନୀଳମାଧବପୁର ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମୁଖି କାର୍ଯ୍ୟ ପ୍ରତିବାଦରେ ବୁଧବାର ସ୍କୁଲରେ ତାଲା ପକାଇ ପ୍ରତିବାଦ କରିଛନ୍ତି ଗ୍ରାମବାସୀ। ସ୍କୁଲ ଫାଟକ ଆଗରେ ଏସ୍‌ଏମ୍‌ସି ସଭ୍ୟାସଭ୍ୟ, ଛାତ୍ରୀଛାତ୍ର ଏବଂ ଅଭିଭାବକମାନେ ଦୀର୍ଘ ସମୟ ଧରି ଧାରଣାରେ ବସି ରହିଥିଲେ। ଏହାକୁ ନେଇ ଦିନତମାମ ସ୍କୁଲରେ ଅଚଳାବସ୍ଥା ଲାଗି ରହିଥିଲା। ଅଭିଯୋଗ ଅନୁଯାୟୀ, ସରକାରୀ କାର୍ଯ୍ୟ ଆଳରେ ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ଦେଈ ପିଲାଙ୍କୁ ପାଠ ପଢ଼ାଉ ନାହାନ୍ତି। ସ୍କୁଲ ପରିଚାଳନା କମିଟି ସଭ୍ୟଙ୍କୁ ଅସଦ୍‌ ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ମଧ୍ୟାହ୍ନ ଭୋଜନ ବିତରଣ ଠିକ୍‌ ଭାବେ ହେଉନାହିଁ। ଏପରିକି ସ୍କୁଲର ଉନ୍ନତି ପାଇଁ ଗ୍ରାମବାସୀଙ୍କ ଆଣିଥିବା ପଥରକୁ ସମ୍ପୃ୍‌କ୍ତା ଶିକ୍ଷୟିତ୍ରୀ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ଏସବୁ ଅବ୍ୟବସ୍ଥା ପ୍ରତିବାଦରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯାଇଥିବା ପରିଚାଳନା କମିଟି ସଭାନେତ୍ରୀ କମଳିନୀ ନାୟକ ଏବଂ ଉପସଭାନେତ୍ରୀ ସବିତା ବିଶ୍ୱାଳ କହିଛନ୍ତି। ସ୍କୁଲରେ ପ୍ରଥମରୁ ପଞ୍ଚମ ଯାଏ ୪୫ ଛାତ୍ରୀଛାତ୍ର ଅଛନ୍ତି। ସେମାନଙ୍କ ପାଇଁ ୨ଜଣ ଶିକ୍ଷୟିତ୍ରୀ ନିଯୁ୍‌କ୍ତି ହୋଇଛନ୍ତି। ସରକାରୀ କାର୍ଯ୍ୟର ବାହାନା କରି ପ୍ରଧାନ ଶିକ୍ଷୟିତ୍ରୀ ଶ୍ରେଣୀକୁ ଯାଉନାହାନ୍ତି। ଫଳରେ ଜଣେ ଶିକ୍ଷୟିତ୍ରୀଙ୍କ ଦ୍ୱାରା ପିଲାଙ୍କୁ ପାଠ ପଢ଼ାଇବା ସମ୍ଭବ ହେଉନାହିଁ। ବିଦ୍ୟାଳୟରେ ଲାଗି ରହିଥିବା ଅବ୍ୟବସ୍ଥା ଏବଂ ପ୍ରଧାନ ଶିକ୍ଷୟିତ୍ରୀଙ୍କ କାର୍ଯ୍ୟକଳାପ ସମ୍ପର୍କରେ ନଭେମ୍ବର ୨୨ରେ ବିଇଓଙ୍କ ନିକଟରେ ଫେରାଦ ହୋଇଥିଲେ ଗ୍ରାମବାସୀ। ୨୮ ତାରିଖ ସୁଦ୍ଧା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବଦଳି କରିବାକୁ ଦାବି କରିଥିଲେ। ଏହା ନ ହେଲେ ସ୍କୁଲରେ ତାଲା ପକାଇ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ। ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ଅଞ୍ଚଳବାସୀ ଏପରି ପଦକ୍ଷେପ ନେଇଥିବା କହିଛନ୍ତି। ଏ ସଂକ୍ରାନ୍ତରେ ବିଇଓ ଅଜୟ କୁମାର ପାତ୍ର କୁହନ୍ତି, ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ଦେଈଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବ୍ୟବହାରରେ ପରିବର୍ତ୍ତନ କରିବା ସହିତ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାଶୁଝା କରାଯାଇଛି। ୧୫ଦିନ ମଧ୍ୟରେ ସେ ଯଦି ବ୍ୟବହାରରେ ପରିବର୍ତ୍ତନ ନ ଆଣନ୍ତି ତେବେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଇଓ ସୂଚନା ଦେଇଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri