୧୫ ମଧ୍ୟରାତ୍ରିରୁ ଟ୍ରକ୍‌ ଧର୍ମଘଟ


ଅନୁଗୋଳ ଅଫିସ/ବଅଁରପାଳ, ୬।୧୨(ଡି.ଏନ.ଏ.)- ରାଜ୍ୟ ସରକାର ଟ୍ରକ୍‌ଗୁଡ଼ିକ ଉପରେ ଅହେତୁକ ଟ୍ୟାକ୍ସ ବୃଦ୍ଧି କରିବା ସହ ନୂତନ ଭାବେ ଗ୍ରୀନ୍‌ ଟ୍ୟାକ୍ସ ପ୍ରଚଳନ କରିଥିବାରୁ ରାଜ୍ୟ ଟ୍ରକ୍‌ ମାଲିକ ମହାସଂଘ ତରଫରୁ ତୀବ୍ର ଅସନ୍ତୋଷ ପ୍ରକାଶ କରାଯାଇଛି। ବୁଧବାର ଅନୁଗୋଳ ଟ୍ରକ୍‌ ମାଲିକ ସଂଘ କାର୍ଯ୍ୟାଳୟ ପରିସରରେ ରାଜ୍ୟ ଟ୍ରକ୍‌ ମାଲିକ ମହାସଂଘର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପସ୍ଥିତ କର୍ମକର୍ତ୍ତାମାନେ ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିର ତୀବ୍ର ପ୍ରତିବାଦ କରିବା ସହ ଚେକିଂ ନାମରେ ହେଉଥିବା ପାଉଣା ଆଦାୟ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ଏଥିସହ ରାଜ୍ୟ ପରିବହନ ବିଭାଗରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ସଂଘ କର୍ମକର୍ତ୍ତାମାନେ ଖୋଲାଖୋଲି ଅଭିଯୋଗ କରିଥିଲେ। ଏହି ଦୁର୍ନୀତିରେ କେତେଜଣ ଆର୍‌ଟିଓଙ୍କଠାରୁ ଆରମ୍ଭ କରି ଏମ୍‌ଭିଆଇ, ଉଚ୍ଚପଦସ୍ଥ ଅଧିକାରୀ ଓ ଖୋଦ ପରିବହନ ମନ୍ତ୍ରୀ ଲିପ୍ତ ଥିବା ସଂଘ ସାଧାରଣ ସମ୍ପାଦକ ରବିନାରାୟଣ ଶତପଥୀ ଅଭିଯୋଗ କରିଥିଲେ। ମହାସଂଘ ସଭାପତି ବିଭୂତି ପ୍ରସାଦ ଦାସ ବୈଠକରେ ସଭାପତିତ୍ୱ କରିଥିଲେ। ସଂଘ ପକ୍ଷରୁ କୁହାଯାଇଛି ଯେ, ୧୫ ବର୍ଷ ପୁରୁଣା ଟ୍ରକ୍‌ଗୁଡ଼ିକରୁ ୪ ହଜାର ଟଙ୍କା ଗ୍ରୀନ୍‌ ଟ୍ୟାକ୍ସ ଆଦାୟ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହ ରୋଡ୍‌ ଟ୍ୟାକ୍ସ ଅହେତୁକ ଭାବେ ବୃଦ୍ଧି କରାଯାଇଛି। ଚେକିଂ ଆଳରେ ରାସ୍ତାରେ ବ୍ୟାପକ ପାଉଣା ଆଦାୟ କରାଯାଉଛି। ତନଖି ଫାଟକଗୁଡ଼ିକରେ ଟ୍ରକ୍‌ ମାଲିକମାନଙ୍କୁ ଜୁଲମ୍‌ କରାଯାଉଛି। ଆଇନ୍‌ ବହିର୍ଭୂତ କାର୍ଯ୍ୟ କଲେ ମୋଟରଯାନ ଆଇନ ଅନୁଯାୟୀ ଜରିମାନା ଆଦାୟ କରାଯିବା କଥା। କିନ୍ତୁ ଚେକିଂ କରୁଥିବା ଅଧିକାରୀମାନଙ୍କୁ ମାସିକିଆ ପାଉଣା ନ ଦେଲେ ସେମାନେ ବିଭିନ୍ନ ଆଳ ଦେଖାଇ ମାତ୍ରାଧିକ ଜରିମାନା ଆଦାୟ କରୁଛନ୍ତି। ଅଧିକ ଉଚ୍ଚକରି ମାଲ୍‌ ଲୋଡ୍‌ କରୁ ନ ଥିଲେ ମଧ୍ୟ ଟ୍ରକ୍‌ ମାଲିକଙ୍କଠାରୁ ୨୫ଶହ ଟଙ୍କା ଜରିମାନା ଆଦାୟ କରାଯାଉଛି। ଏହାକୁ ନେଇ ଟ୍ରକ୍‌ ମାଲିକମାନେ ପରିବହନ କମିଶନରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ସେହିପରି ପ୍ରାୟ ୧ ବର୍ଷ ହେଲା ଗିରିଶୋଳା ଚେକ୍‌ ଗେଟ୍‌ ଉଚ୍ଛେଦ ହୋଇଥିଲେ ବି ଉକ୍ତ ଗେଟ୍‌ର ଜୁନିୟର ଏମ୍‌ଭିଆଇଙ୍କ ନାମରେ ଜରିମାନା ଆଦାୟ ହେଉଛି। ବିଭିନ୍ନ ଆଳରେ ଓ ଚେକିଂ ନାମରେ ପ୍ରତ୍ୟେକ ଟ୍ରିପ୍‌ରେ ଜରିମାନା ନଁାରେ ଚାନ୍ଦା ଆଦାୟ କରାଯାଉଛି। ବଡ଼ ବଡ଼ ପରିବହନ କମ୍ପାନୀଙ୍କ କଥାରେ ସରକାର ପ୍ରଭାବିତ ହୋଇ ୨୦୦୮ରୁ ଟ୍ରକ୍‌ର ସର୍ବନିମ୍ନ ଭଡ଼ା ଧାର୍ଯ୍ୟ କରୁନାହାନ୍ତି। ସରକାରଙ୍କୁ ଭଡ଼ା ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି। ମାତ୍ର ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ। ଏ ସଂକ୍ରାନ୍ତରେ ମହାସଂଘ ତରଫରୁ ଏକ ୮ ଦଫା ସମ୍ବଳିତ ଦାବିପତ୍ର ଗତ ଜୁନ୍‌ରେ ପ୍ରଦାନ କରାଯାଇଥିଲେ ମଧ୍ୟ ପରିବହନ ମନ୍ତ୍ରୀ ଆଲୋଚନା କରିବାକୁ ଅମଙ୍ଗ ହେଉଛନ୍ତି। ସେହିପରି ପାଉଣା ଆଦାୟରେ ପୋଲିସର ଦୁର୍ନୀତି ମଧ୍ୟ ବଢ଼ି ଚାଲିଛି। ଫଳରେ ଓଡ଼ିଶାରେ ଟ୍ରକ୍‌ ବ୍ୟବସାୟ କରିବା ଅସମ୍ଭବ ହୋଇପଡ଼ିଛି। ତେଣୁ ଟ୍ରକ୍‌ ମାଲିକମାନଙ୍କ ବିଭିନ୍ନ ସମସ୍ୟା ଓ ନ୍ୟାଯ୍ୟ ଦାବି ପୂରଣ ପାଇଁ ଆସନ୍ତା ୧୫ ତାରିଖ ମଧ୍ୟରାତ୍ରରୁ ରାଜ୍ୟବ୍ୟାପୀ ଧର୍ମଘଟ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ପ୍ରାୟ ୨ଲକ୍ଷରୁ ଊର୍ଦ୍ଧ୍ୱ ଟ୍ରକ୍‌ ଚଳାଚଳ ବନ୍ଦ କରାଯିବା ସହ କୌଣସି ଟ୍ରକ୍‌କୁ ରାଜ୍ୟ ବାହାରକୁ ଓ ରାଜ୍ୟ ବାହାରର ଟ୍ରକ୍‌କୁ ରାଜ୍ୟ ଭିତରକୁ ପୂରାଇ ଦିଆଯିବ ନାହିଁ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ବୈଠକରେ ସଂଘ ଉପସଭାପତି ଦିଲୀପ ପାଣି, ରଞ୍ଜିତ ପଣ୍ଡା, ସମ୍ପାଦକ ରାଜୀବ କୁମାର ଜେନା, ପ୍ରଶାନ୍ତ କୁମାର ପ୍ରଧାନ, କାଳୀଚରଣ ସ୍ବାଇଁ, ଅନାମ ଚରଣ ପ୍ରଧାନଙ୍କ ସମେତ ବିଭିନ୍ନ ଜିଲାରୁ ଆସିଥିବା ଟ୍ରକ୍‌ ମାଲିକମାନେ ଉପସ୍ଥିତ ଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri