କୋର୍‌ ଜଙ୍ଗଲ ଛାଡ଼ିଲେ ରାଇଗୁଡ଼ାବାସୀ: ନୂଆ ରାଇଗୁଡ଼ା ନୂଆ ଠିକଣା


ବନ୍ତଳା,୬।୧୨(ଡି.ଏନ.ଏ.)- ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ସରକାର କରିଥିବା ଯୋଜନା ପାଦେ ଆଗେଇଛି। ଚଳିତମାସ ଶେଷ ସପ୍ତାହରେ ମଧ୍ୟପ୍ରଦେଶରୁ ଗୋଟିଏ ବାଘ ବାଘୁଣୀ ଅଣାଯାଇ ଏଠାରେ ଛଡ଼ାଯିବା ପୂର୍ବରୁ ଅଭୟାରଣ୍ୟର କୋର୍‌ ଜଙ୍ଗଲରେ ରହୁଥିବା ବନ୍ତଳା ଥାନା ବଡ଼କନ୍ତକୁଳ ପଞ୍ଚାୟତର ରାଇଗୁଡ଼ା ଗ୍ରାମବାସୀଙ୍କୁ ପ୍ରଶାସନ ବୁଧବାର ବିସ୍ଥାପିତ କରିଛି। ସେମାନଙ୍କ ପାଇଁ ନୂଆକ୍ଷେତା ସାରୁଆଳି ନିକଟରେ ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ନୂଆ ରାଇଗୁଡ଼ା ଗ୍ରାମରେ ସମ୍ପୃକ୍ତ ୩୩ ମୂଳ ପରିବାରକୁ ଥଇଥାନ କରାଯାଇଛି। ଜିଲା ପ୍ରଶାସନର ବରିଷ୍ଠ ପଦାଧିକାରୀଙ୍କ ଉପସ୍ଥିତିରେ ୪୫ଟି ଗାଡ଼ିରେ ଗ୍ରାମବାସୀଙ୍କୁ ଅଣାଯାଇ ସେମାନଙ୍କ ନୂଆ ଠିକଣାରେ ପହଞ୍ଚାଯିବା ସହ ନବନିର୍ମିତ ଘରର ଚାବି ହସ୍ତାନ୍ତର କରାଯାଇଥିଲା। ସାତକୋଶିଆ ଡିଏଫ୍‌ଓ ଏସ୍‌ଏମ୍‌ଡିଟି ରହମାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବିସ୍ଥାପିତମାନଙ୍କୁ ନୂଆ ରାଇଗୁଡ଼ା ଅଣାଯାଇଥିଲା। ଅନୁଗୋଳ ଉପଜିଲାପାଳ ସରୋଜକାନ୍ତ ମହାନ୍ତି, ଡେପୁଟି କଲେକ୍ଟର ପତିତପାବନ ଦେବତା, ସାତକୋଶିଆ ସହକାରୀ ବନ ସଂରକ୍ଷକ ଶୁଭେନ୍ଦୁ ବେହେରା, ଆର.କେ. ସ୍ବାଇଁ, ଶ୍ରୀକାନ୍ତ କୁମାର ବେହେରା, ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ କାର୍ଯ୍ୟାଳୟର ପ୍ରାଣୀ ବିଶେଷଜ୍ଞ ରୁଦ୍ର ନାରାୟଣ ପ୍ରଧାନ, ବନ୍ତଳା ଥାନା ଆଇଆଇସି ସବ୍ୟସାଚୀ ରାଉତ, ଏଏସ୍‌ଆଇ ସାରଦା ପ୍ରସାଦ ସାମନ୍ତ, ବଡ଼କନ୍ତକୁଳ ସରପଞ୍ଚ ଧ୍ରୁବ ଚରଣ ଦେହୁରୀ, ଗଡ଼ତରାଶ ସରପଞ୍ଚ ପୁଷ୍ପାଞ୍ଜଳି ମାଝି ଓ ସମିତିସଭ୍ୟା କାମିନୀ ସାମଲଙ୍କ ଉପସ୍ଥିତିରେ ପୂର୍ବାହ୍ନ ୧୦ଟାରୁ ବିସ୍ଥାପନ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଅପରାହ୍ନ ୨ଟାରେ ସମସ୍ତେ ରାଇଗୁଡ଼ା ଗେଟ୍‌ ସମ୍ମୁଖରେ ପହଞ୍ଚିବା ପରେ ସମ୍ପୃକ୍ତ ପରିବାରଗୁଡ଼ିକୁ ଚିହ୍ନଟ କରାଯାଇ ନାମ ଅନୁସାରେ ଘରର ଚାବି ପ୍ରଦାନ କରାଯାଇଥିଲା। ଗ୍ରାମବାସୀଙ୍କ ସୁବିଧା ପାଇଁ ପ୍ରତି ଘର କବାଟରେ ମୁଖ୍ୟ ହିତାଧିକାରୀଙ୍କ ନାମ ସହିତ ନମ୍ବର ଲେଖାଯାଇଥିଲା। ଏଥିସହ ବିସ୍ଥାପିତମାନେ ଯେପରି ନୂଆ ସ୍ଥାନରେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପାଇଁ ବନ ବିଭାଗ ଏବଂ ପ୍ରଶାସନ ପକ୍ଷରୁ ପୂର୍ବରୁ ସମସ୍ତ ବ୍ୟବସ୍ଥା ଶେଷ କରାଯାଇଥିଲା। ସୋଲାର ଲାଇଟ, ପାଇପ୍‌ ପାଣି, ବିଦ୍ୟୁତ୍‌, ପାଇଖାନା, ଗାଧୁଆ ଘର, ପିଲାଙ୍କ ପଢ଼ିବା ପାଇଁ କୋଠଘର ନିର୍ମାଣ ହୋଇଥିବା ବେଳେ ୩ ମାସ ପାଇଁ ମାଗଣାରେ ଖାଦ୍ୟ ମଧ୍ୟ ଯୋଗାଇ ଦିଆଯିବାକୁ ଘୋଷଣା କରାଯାଇଥିଲା। ଡାକ୍ତରମାନେ ଜଣ ଜଣ କରି ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ବିସ୍ଥାପିତମାନେ ଏକାଠି ବସି ଭୋଜି ଖାଇଥିଲେ। ଅପରାହ୍ନରେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂ, ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ଡ. ସୁଦର୍ଶନ ପଣ୍ଡା, ଅନୁଗୋଳ ବ୍ଲକ ବିଜେଡି ସଭାପତି ଦୁର୍ଗାଚରଣ ପ୍ରଧାନ, ପୂର୍ବତନ ଜିଲାପରିଷଦ ସଭ୍ୟ ଭାଗୀରଥି ମାଝି, ପୂର୍ବତନ ବ୍ଲକ ଚେୟାରମ୍ୟାନ ପ୍ରିୟଦର୍ଶୀ ପଟ୍ଟନାୟକ, ଦୁର୍ଯ୍ୟୋଧନ ସାହୁ ପ୍ରମୁଖ ପହଞ୍ଚତ୍ ବିସ୍ଥାପିତମାନଙ୍କୁ ସ୍ବାଗତ କରିଥିଲେ। ପରେ ଗଁାର ଅଧିଷ୍ଠାତ୍ରୀ ଦେବୀ ବ୍ରାହ୍ମଣୀଦେଈଙ୍କ ପୂଜା କରିଥିଲେ। ବିସ୍ଥାପନ ବେଳେ ମାଓବାଦୀ ଯେପରି କୌଣସି ଅଘଟଣ ନ ଘଟାନ୍ତି ସେଥିପାଇଁ ସତର୍କତା ସ୍ବରୂପ ସୋମବାରଠାରୁ ଗୋଟିଏ ପ୍ଲାଟୁନ ସିଆର୍‌ପିଏଫ୍‌ ବିସ୍ଥାପିତ ଗ୍ରାମରେ ମୁତୟନ କରାଯାଇଥିଲା। ଏଥିସହ ଆଉ ଏକ ପ୍ଲାଟୁନ ଯବାନଙ୍କୁ ଗଁା ନିକଟ ଜଙ୍ଗଲ ମଧ୍ୟରେ ତଲାସି ଅଭିଯାନରେ ଲଗାଯାଇଥିଲା। ସାଦା ପୋଷାକରେ ପୋଲିସ ମଧ୍ୟ ଜଙ୍ଗଲ ଅଞ୍ଚଳ ଉପରେ ନଜର ରଖିଥିଲେ। ନୂଆ ଠିକଣା ବିଷୟରେ ବିସ୍ଥାପିତ ସର ଦେହୁରୀ, ମୁକ୍ତା ଦେହୁରୀ, ରମ୍ଭା ଦେହୁରୀ, ଗୟା ଦେହୁରୀ କୁହନ୍ତି, ପୁରୁଣା ଗଁା ଛାଡ଼ି ଆସିଥିବାରୁ ମନରେ ଦୁଃଖ ଅଛି। ଠାକୁରାଣୀ ଆସିବା ପରେ ଆମେ ଆସିଲୁ। ନୂଆ ଜାଗାରେ ରହିବା ପାଇଁ କିଛିଦିନ ଲାଗିବ। ତଥାପି ଆମେ ସମସ୍ତେ ଖୁସି ବୋଲି ସେମାନେ କହିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri