କାମରେ ଲାଗୁନି ଅଧିକାଂଶ ଗୋଷ୍ଠୀ ଖଳା: ରାସ୍ତାରେ ପଡ଼ୁଛି ଧାନ ବେଙ୍ଗଳା


ବନ୍ତଳା,୬।୧୨ -ଚାଷୀ ଯେପରି ଭଲରେ ଫସଲ ଅମଳ କରିପାରିବେ ସେଥିପାଇଁ ସରକାର କାର୍ଯ୍ୟକାରୀ କରିଛନ୍ତି ଗୋଷ୍ଠୀଖଳା ଯୋଜନା। ଏହି ଯୋଜନା ମାଧ୍ୟମରେ ଚାଷୀଙ୍କ ସୁବିଧା ପାଇଁ ଗ୍ରାମାଞ୍ଚଳର ସରକାରୀ ଜମିରେ କଂକ୍ରିଟ୍‌ ଖଳାମାନ ନିର୍ମାଣ କରାଯାଉଛି। ହେଲେ ଅନେକ ଗଁାରେ ଏହି ସରକାରୀ ଯୋଜନା ବାଟବଣା ହୋଇଥିବା ଅଭିଯୋଗ ହୋଇଆସୁଛି। କାରଣ ଯେଉଁ ସ୍ଥାନରେ କଂକ୍ରିଟ୍‌ ଖଳା ନିର୍ମାଣ କରାଯାଇଛି ସେଠାରେ ଫସଲ ପହଞ୍ଚାଇ ଅମଳ କରି ଘରକୁ ଆଣିବା ଚାଷୀ ପାଇଁ କଷ୍ଟକର ହୋଇପଡ଼ୁଛି। ଫଳରେ ବୋଝ ଉପରେ ନଳିତା ବିଡା ପରି ପୁଣି ଖର୍ଚ୍ଚାନ୍ତ ସହ ସମୟ ଅପଚୟ କରିବା ବଦଳରେ ଘର ସମ୍ମୁଖ ପକ୍କା ବା ପିଚୁ ରାସ୍ତା ଉପରେ ଧାନ ବେଙ୍ଗଳା ପକାଇବାକୁ ଚାଷୀମାନେ ବେଶ୍‌ ସହଜ ତଥା ସୁବିଧାଜନକ ମନେ କରୁଛନ୍ତି। ଅନୁଗୋଳ ଜିଲାର ବହୁ ଚାଷୀ ଏପରି ବେଙ୍ଗଳା ପକାଉଥିବା ନଜରକୁ ଆସୁଛି। ଜିଲାର ଅନୁଗୋଳ, ଛେଣ୍ଡିପଦା, ବଅଁରପାଳ, କିଶୋରନଗର, ପାଲଲହଡ଼ା ଓ କଣିହଁା ବ୍ଲକରେ ସରକାରଙ୍କ ଗୋଷ୍ଠୀଖଳା ଯୋଜନା କାର୍ଯ୍ୟକାରୀ ହୋଇଛି। ଅନୁଗୋଳ ଓ ଛେଣ୍ଡିପଦା ବ୍ଲକରେ ଅନୁଗୋଳ ନିୟନ୍ତ୍ରିତ ବଜାର କମିଟି ଏହି ଦାୟିତ୍ୱ ନେଇଥିବା ବେଳେ ବଅଁରପାଳ ଓ କିଶୋରନଗର ବ୍ଲକରେ ଜିଲା କୃଷି ବିଭାଗ ଖଳା ନିର୍ମାଣ କାମ କରୁଛି। ବର୍ତ୍ତମାନ ସୁଦ୍ଧା ଅନୁଗୋଳ ବ୍ଲକରେ ୨୪ଟି ଗୋଷ୍ଠୀଖଳା ନିର୍ମାଣ ପ୍ରସ୍ତାବ ଥିବାବେଳେ ବଡ଼କନ୍ତକୁଳ, ବାରଗୌଣିଆ, ବନ୍ତଳା, ଧୋକୁଟା, ବେଡ଼ାଶାସନ, ବସଲା, କାଙ୍ଗୁଲା, ବେନ୍ତପୁର, ଜଗନ୍ନାଥପୁର, ମାଟିଆସାହି, ଅନ୍ତୁଳିଆ, ଟିକରପଡ଼ା, ମାଣିକଯୋଡ଼ି, ଶଙ୍ଖପୁର, ଟାଇଁସି ଆଦି ୧୪ଟି ପଞ୍ଚାୟତରେ ଖଳା ନିର୍ମାଣ ସରିଛି। ସେହିପରି ଛେଣ୍ଡିପଦାରେ ୩୦ଟି ଗୋଷ୍ଠୀଖଳା ନିମନ୍ତେ ପ୍ରସ୍ତୁତି ସରିଥିବା ବେଳେ ୧୩ଟିର କାର୍ଯ୍ୟ ଶେଷ ହୋଇଛି। ଜିଲା କୃଷି ବିଭାଗ ପକ୍ଷରୁ ବଅଁରପାଳ ଓ କିଶୋରନଗର ବ୍ଲକରେ ଖଳା ନିର୍ମାଣ ଦାୟିତ୍ୱ ହାତକୁ ନିଆଯାଇଛି। ବଅଁରପାଳରେ ୧୫ଟି ଓ କିଶୋରନଗର ବ୍ଲକରେ ୫ଟି ଗୋଷ୍ଠୀଖଳା ସମ୍ପୂର୍ଣ୍ଣ ହୋଇସାରିଛି। ତେବେ ପାଲଲହଡ଼ା ବ୍ଲକରେ ସମୁଦାୟ ୨୩ଟି ଗୋଷ୍ଠୀଖଳା ନିର୍ମାଣ ପାଇଁ ଜିଲାପାଳ ଅନୁମୋଦନ କରିଥିଲେ ହେଁ ନିର୍ମାଣ କାର୍ଯ୍ୟ ଏଯାଏ ହୋଇପାରି ନାହିଁ। କଣିହଁା ବ୍ଲକରେ ମଧ୍ୟ ସମାନ ଅବସ୍ଥା। ଏଠାରେ ୧୫ଟି ଗୋଷ୍ଠୀଖଳା ନିର୍ମାଣ ନିମନ୍ତେ ଜିଲା କୃଷି ବିଭାଗ ଦାୟିତ୍ୱ ନେଇଛି। ହେଲେ ଗୋଟିକର ବି କାର୍ଯ୍ୟ ଶେଷ ହୋଇପାରି ନାହିଁ। ଅନ୍ୟପକ୍ଷରେ କେତେକ ସ୍ଥାନରେ ରାଜନୈତିକ ଟଣାଓଟରା ଯୋଗୁ କାର୍ଯ୍ୟରେ ବାଧା ଉପୁଜିଥିବା ବେଳେ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଏହି ଯୋଜନାରେ ଠିକ୍‌ ଜାଗା ଚିହ୍ନଟ ହୋଇପାରୁ ନ ଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି। ଅନୁଗୋଳ ବ୍ଲକ ବନ୍ତଳା ପଞ୍ଚାୟତର ସାପ୍ତାହିକ ହାଟ ନିକଟରେ ଗୋଷ୍ଠୀ ଖଳା ନିର୍ମାଣ କରାଯାଇଥିବାରୁ ଏହାକୁ ନେଇ ଚାଷୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହା ଚାଷୀଙ୍କ କାର୍ଯ୍ୟରେ ଲାଗିପାରୁ ନ ଥିବା ସେମାନେ କହିଛନ୍ତି। ବନ୍ତଳା ଗଁାର ଗିରୀଶ ପ୍ରଧାନ, ଅନିଲ ସାହୁ କୁହନ୍ତି, ପ୍ରକୃତ କ୍ଷେତ୍ରରେ ଯେଉଁଠି ଚାଷ ଜମି ରହିଛି ସେଠାରେ ଖଳା ନିର୍ମାଣ କରାଯାଉ ନାହିଁ। ଯେଉଁଠାରେ ଖଳାର କୌଣସି ଆବଶ୍ୟକତା ନାହିଁ, ସେଠାରେ ଖଳା କରାଯାଇଛି। ଏଥିଯୋଗୁ ଚାଷୀମାନେ ହଇରାଣ ହେଉଛନ୍ତି। ଏ ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ। ସେହିପରି ଅନୁଗୋଳ-ଟିକରପଡ଼ା ପୂର୍ତ୍ତ ବିଭାଗ ରାସ୍ତାର ଶଙ୍ଖପୁର ଗଁା ନିକଟରେ କେତେଜଣ ଚାଷୀ ରାସ୍ତା ଉପରେ ବେଙ୍ଗଳା ପକାଉଥିବା ଦେଖାଯାଇଛି। ଏପରି କାର୍ଯ୍ୟ ସେମାନଙ୍କ ପାଇଁ ସୁବିଧାଜନକ ହୋଇଥିଲେ ବି ବାଇକ୍‌ ଆରୋହୀଙ୍କ ପାଇଁ ଏହା ଦୁର୍ଘଟଣାର ଆଶଙ୍କା ସୃଷ୍ଟି କରୁଥିବା କୁହାଯାଉଛି। ଏ ସମ୍ପର୍କରେ ବନ୍ତଳା ଥାନା ଆଇଆଇସି ସବ୍ୟସାଚୀ ରାଉତ କୁହନ୍ତି, ରାସ୍ତାରେ ଧାନ ଗଦାଇ ବେଙ୍ଗଳା ପକାଉଥିବା ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସମସ୍ୟା ସମ୍ପର୍କରେ ଜିଲା ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ସନ୍ତୋଷ ପ୍ରଧାନ କୁହନ୍ତି, ନୂଆ କରି ଗୋଷ୍ଠୀଖଳା ନିର୍ମାଣ କରାଯାଇଥିବାରୁ ଚାଷୀମାନେ ସଚେତନ ହୋଇନାହାନ୍ତି। କେତେକ ଜାଗାରେ ରାଜନୈତିକ କନ୍ଦଳ କାରଣରୁ ଗୋଷ୍ଠୀଖଳା ନିର୍ମାଣ ବନ୍ଦ ହେଉଛି, ଠିକ୍‌ ଜାଗା ମଧ୍ୟ ମିଳୁନାହିଁ। ଜିଲା କୃଷି ଉପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ବିଶ୍ୱାଳ କୁହନ୍ତି, ୪ଟି ବ୍ଲକରେ ଖଳା କାର୍ଯ୍ୟ ଚାଲିଥିବା ବେଳେ ୨ଟି ବ୍ଲକରେ ନିର୍ମାଣ ପାଇଁ ପ୍ରସ୍ତାବ ଅନୁମୋଦନ ହୋଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri