ଦୁର୍ଦ୍ଦଶା ବଢାଇଛି ପ୍ରଦୂଷଣ: ବିସ୍ଥାପନ ଦାବିରେ ଘେରିଲେ ତହସିଲ ଅଫିସ୍‌


କଣିହାଁ, ୬ା୧୨(ଡି.ଏନ.ଏ.)- ବିଷ ବଳୟରେ କଟୁଛି ଜୀବନ। ବଢୁଛି ରୋଗ ବ୍ୟାଧି। ମାତ୍ରାଧିକ ପ୍ରଦୂଷଣ ଯୋଗୁ ଘରେ ରହିବା ମଧ୍ୟ କଷ୍ଟକର ହୋଇପଡିଛି। ଦୀର୍ଘ ୨୫ ବର୍ଷ ହେବ ଏହି ସମସ୍ୟାରେ ସନ୍ତୁଳି ହୋଇ ଶେଷରେ ନିଜ ଭିଟାମାଟି ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ଅନୁଗୋଳ ଜିଲା କଣିହାଁ ବ୍ଲକ ଡେରେଙ୍ଗ ମଝିସାହି ବାସିନ୍ଦା। ତୁରନ୍ତ ସେମାନଙ୍କୁ ବିସ୍ଥାପନ କରିବା ଦାବିରେ ସାହିବାସୀ ବୁଧବାର କଣିହାଁ ତହସିଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଆନ୍ଦୋଳନକାରୀ ଦିନ ପ୍ରାୟ ୧୧ଟାରେ କଣିହାଁ ଗାନ୍ଧୀ ପଡିଆରୁ ଏକ ବିଶାଳ ଶୋଭାଯାତ୍ରାରେ ବଜାର ପରିକ୍ରମା କରି ତହସିଲ ଅଫିସ୍‌ଠାରେ ପହଞ୍ଚିଥିଲେ। ପରେ ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଆନ୍ଦୋଳନରେ ସାମିଲ ହୋଇଥିବା ଡେରେଙ୍ଗ ମଝିସାହି କମିଟି ସଭାପତି ବିଚ୍ଛନ୍ଦ ଚରଣ ସାହୁ, ସମ୍ପାଦକ ଅମୂଲ୍ୟ କୁମାର ସାହୁଙ୍କ କହିବା ଅନୁଯାୟୀ, ଗ୍ରାମ ବସତିର ଶହେ ମିଟର ଦୂର ପୂର୍ବ ଦିଗରେ ଏନ୍‌ଟିପିସି ପାଉଁଶ ପୋଖରୀ, ଉତ୍ତର-ପୂର୍ବ ଦିଗରେ ଜେଆଇଟିପିଏଲ ପ୍ରକଳ୍ପ ରହିଛି। ୫ ବର୍ଷ ମଧ୍ୟରେ ପ୍ରଦୂଷଣର ମାତ୍ରା ବହୁ ମାତ୍ରାରେ ବୃଦ୍ଧି ପାଇଛି। ପାଉଁଶ ଓ କୋଇଲା ଗୁଣ୍ଡ ଯୋଗୁ ଲୋକେ ରୋଗାଗ୍ରସ୍ତ ହେଉଛନ୍ତି। ସେଠାକାର ପରିବେଶ ଜନବସତି ପାଇଁ ଅନୁପଯୋଗୀ ହୋଇପଡିଛି। ଏ ନେଇ ବାରମ୍ବାର ପ୍ରଶାସନକୁ ଜଣାଇବା ସତ୍ତ୍ୱେ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରାଯାଉନାହିଁ। ତେଣୁ ନ୍ୟାୟ ଦାବିରେ ଏହି ଆନ୍ଦୋଳନ କରାଯାଇଛି। ସାହିର ୪୫୦ ପରିବାରର ମହିଳା ପୁରୁଷ ଏଥିରେ ସାମିଲ ହୋଇଛନ୍ତି। ନ୍ୟାୟ ନ ମିଳିଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଚେତାବନୀ ଦିଆଯାଇଛି। ଏ ସଂକ୍ରାନ୍ତରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ତହସିଲଦାର ଅଂଶୁମାନ ଶତପଥୀଙ୍କୁ ପଚାରିବାରେ କହିଛନ୍ତି, ଦାବିପତ୍ର ଗ୍ରହଣ କରିଛୁ। ସମସ୍ୟା ସମାଧାନ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଶତପଥୀ ପ୍ରକାଶ କରିଛନ୍ତି। ଏହି ଆନ୍ଦୋଳନକୁ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ସମର୍ଥନ ମିଳିଥିଲା। ଏଥିରେ ଗ୍ରାମବାସୀଙ୍କ ସମେତ ଭାଜପା ନେତା ଅଶୋକ ମହାନ୍ତି, ଲୋକନାଥ ସାହୁ, କଂଗ୍ରେସ ନେତା ସୁବୋଧ ପାଣି, ବିଜେଡି ନେତା ଦୁର୍ଯ୍ୟୋଧନ ପ୍ରଧାନ, ରଞ୍ଜନ ସାହୁ, ସରପଞ୍ଚ, ସମିତିସଭ୍ୟ, ସାମାଜିକକର୍ମୀମାନେ ସାମିଲ ହୋଇଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri