ପୁରୀ ସମୁଦ୍ରକୂଳ ଥାନା ଡକାୟତି ମାମଲା: ଏନ୍‌ବିଡବ୍ଲ୍ୟୁରେ ଜୁଲୁ ଗିରଫ


ଢେଙ୍କାନାଳ ଅଫିସ, ୫।୧୨-ପୁରୀ ସମୁଦ୍ରକୂଳ ଥାନା ଅଞ୍ଚଳରେ ୨୦୧୨ରେ ଘଟିଥିବା ଏକ ଡକାୟତି ମାମଲାରେ ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ପତଳା ଗ୍ରାମର ରତିକାନ୍ତ ରାଉତ ଓରଫ୍‌ ଜୁଲୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। ଜାମିନବିହୀନ ଗିରଫ ପରଓ୍ବାନା (ଏନ୍‌ବିଡବ୍ଲ୍ୟୁ) ଆଧାରରେ ସେ ଗିରଫ ହୋଇଛନ୍ତି। ପୋଲିସ ତାଙ୍କୁ ତୁମୁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡିର ଖଟୁଆହତା ଡାକବଙ୍ଗଳାକୁ ନେଇ ଜେରା କରିଛି। ସନ୍ଧ୍ୟାରେ ତାଙ୍କୁ ଢେଙ୍କାନାଳ ଉପଜିଲାପାଳଙ୍କ କୋର୍ଟରେ ହାଜର କରାଯାଇଥିଲା। ଉକ୍ତ ଡକାୟତି ମାମଲାରେ ଲାଗିଥିବା ଦଫାର ଜାମିନ ଶୁଣାଣି କ୍ଷମତା ଉପଜିଲାପାଳଙ୍କ ନ ଥିବାରୁ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିଦିଆଯାଇଛି। ରତିକାନ୍ତ ଜଣେ ହୃଦ୍‌ରୋଗୀ ବୋଲି ମାମଲା ପରିଚାଳନା କରୁଥିବା ଆଇନଜୀବୀ ଉତ୍କଳ କେଶରୀ ଖଟୁଆ, ରଞ୍ଜନ ପ୍ରଧାନ ଦର୍ଶାଇଥିଲେ। ଏହାପରେ ତାଙ୍କୁ ସୁରକ୍ଷା ବଳୟ ମଧ୍ୟରେ ପୁରୀ ଏସ୍‌ଡିଜେଏମ୍‌ଙ୍କ ଅଦାଲତରେ ହାଜର କରିବା ପାଇଁ ଉପଜିଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ପୁରୀ ସମୁଦ୍ରକୂଳ ଥାନା ଅଞ୍ଚଳରେ ୨୦୧୨ରେ ଏକ ଡକାୟତି ଘଟିଥିଲା। ମାମଲାରେ ସମ୍ପୃକ୍ତ କେତେଜଣ ଯୁବକଙ୍କୁ ଜୁଲୁ ଆଶ୍ରୟ ଦେଇଥିଲେ। ଅଭିଯୁ୍‌କ୍ତଙ୍କୁ ସୁରକ୍ଷା ଦେବା ଅଭିଯୋଗରେ ଥାନାରେ କେସ୍‌ ନଂ. ୫୧/୧୨, ଦଫା ୪୪୯, ୩୪୧, ୩୨୩, ୩୫୪, ୫୦୬, ୩୪୭, ୩୯୫, ୩୮୭, ୩୯୭, ୧୨୦(ବି), ୨୦୧ ଓ ୩୪ରେ ମାମଲା ରୁଜୁ କରାଯାଇଥିଲା। ପରେ ଡକାୟତି ଘଟଣାର ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା। ସେମାନଙ୍କ ବୟାନ ଆଧାରରେ ଜୁଲୁଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ଗ୍ରହଣ କରାଯାଇଥିଲା। ଏ ସଂକ୍ରାନ୍ତରେ ପୁରୀ ଏସ୍‌ଡିଜେଏମଙ୍କ ଅଦାଲତରେ ମାମଲା ବିଚାରାଧୀନ ରହିଛି। ତେବେ ନିର୍ଦ୍ଧାରିତ ତାରିଖରେ ସମନ ଜାରି ହେବା ସତ୍ତ୍ୱେ ଜୁଲୁ ଅଦାଲତରେ ହାଜର ହୋଇ ନ ଥିଲେ। ଏହାପରେ ପୁରୀ ଏସ୍‌ଡିଜେଏମ୍‌ଙ୍କ ଅଦାଲତରୁ ତାଙ୍କ ନାମରେ ଜିଆର କେସ୍‌ ନଂ. ୪୨୫/୨୦୧୨ରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା। ଏହି ମାମଲା ମୋଟଙ୍ଗା ଥାନାକୁ ପ୍ରଦାନ କରାଯାଇଥିଲା। ଏସ୍‌ପି ବସନ୍ତ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶରେ ଗୁଡ଼ିଆକେଟେଣୀ ଅଞ୍ଚଳରେ ଥିବା ଏକ କ୍ରଶର ପରିସରରୁ ଜୁଲୁଙ୍କୁ ଗିରଫ କରାଯାଇଥିଲା। ଚଢ଼ାଉରେ ଟାଉନ ଥାନାଧିକାରୀ ଅଭିନବ ଡାଳୁଆ, ମୋଟଙ୍ଗା ଥାନାଧିକାରୀ ପ୍ରଭାତ ତ୍ରିପାଠୀ, ହିନ୍ଦୋଳ ରୋଡ ଫାଣ୍ଡି ଏସ୍‌ଆଇ ଅକ୍ଷୟ ଦାସ ପ୍ରମୁଖ ସାମିଲ ଥିଲେ। ଜେରା ପରେ ଉପଜିଲାପାଳ ଶିଳ୍ପା ଶର୍ମା ପବ୍ଲିକ ପ୍ରସିକ୍ୟୁଟର ଗଣେଶ ବେହେରାଙ୍କ ଉପସ୍ଥିତିରେ ଅଭିଯୁ୍‌କ୍ତଙ୍କ ଜାମିନ ଆବେଦନର ଶୁଣାଣି କରିଥିଲେ। ଆଇପିସିର ୪୪୯, ୩୪୧, ୩୨୩, ୩୫୪, ୫୦୬, ୩୪୭, ୩୯୫, ୩୮୭, ୩୯୭, ୧୨୦(ବି), ୨୦୧ ଓ ୩୪ ଦଫା ମଧ୍ୟରୁ ୩୯୫, ୫୦୬, ୩୯୭, ୧୨୦(ବି), ୩୫୪, ୪୪୯ ଓ ୩୮୭ ଜାମିନ ବିହୀନ। ତେଣୁ ଅଭିଯୁକ୍ତଙ୍କ ଆବେଦନକୁ ଉପଜିଲାପାଳ ଖାରଜ କରିଦେଇଛନ୍ତି। ଏ ସଂକ୍ରାନ୍ତରେ ଏସ୍‌ପି ବସନ୍ତ କୁମାର ପାଣିଗ୍ରାହୀ କୁହନ୍ତି, ଜୁଲୁଙ୍କ ନାମରେ ପୁରୀ ସମୁଦ୍ରକୂଳ ଥାନାରେ ୨୦୧୨ରେ ଥିବା ଏକ ମାମଲାକୁ ନେଇ ପୁରୀ ଏସ୍‌ଡିଜେଏମ୍‌ଙ୍କ ଅଦାଲତ ପକ୍ଷରୁ ଏକ ଜାମିନବିହୀନ ଗିରଫ ପରୱାନା ଜାରି ହୋଇଥିଲା। ଏହି ଗିରଫ ପରଓ୍ବାନା ବଳରେ ମୋଟଙ୍ଗା ଥାନା ପୋଲିସ ଏ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ସ୍ଥାନରୁ ଓ୍ବାରେଣ୍ଟ ଜାରି କରିଥିବା ଅଦାଲତର ଦୂରତ୍ୱ ୩୦ କିମିରୁ ଊର୍ଦ୍ଧ୍ୱ। ତେଣୁ ଅଭିଯୁ୍‌କ୍ତଙ୍କୁ ସିଆର୍‌ପିସି ୮୦ ଧାରା ଅନୁଯାୟୀ ନିର୍ବାହୀ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତରେ ହାଜର କରାଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି। ଦୀର୍ଘଦିନ ଧରି ମୋଟଙ୍ଗା ଥାନାରେ ଜାମିନ ବିହୀନ ଓ୍ବାରେଣ୍ଟ ପଡ଼ି ରହିଥିବାବେଳେ ପୋଲିସ ଏହାକୁ ଅଣଦେଖା କରିଆସୁଥିଲା। ହଠାତ୍‌ ଅଭିଯୁକ୍ତଙ୍କୁ ଧରିବା ଲାଗି ପୋଲିସ ତତ୍ପରତା ପ୍ରକାଶ କରିବା ଘଟଣା ସାଧାରଣରେ ଆଲୋଚନାର ବିଷୟ ହୋଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri