୬୬୭୦ ମେଗାୱାଟ୍‌ ଯାଉଛି କୁଆଡ଼େ: ଉତ୍ପାଦନକାରୀ ଜିଲାକୁ ବିଦ୍ୟୁତ୍‌ ନିଅଣ୍ଟ


ଅନୁଗୋଳ ଅଫିସ,୨୦।୧୧- ଦୀପ ତଳ ଅନ୍ଧାର ପରି ଦିନକୁ ୬୬୭୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ହେଉଥିବା ଅନୁଗୋଳ ଜିଲାରେ ଅଭାବ ପଡ଼ୁଛି ବିଦ୍ୟୁତ୍‌। ଆଉ ଏଥିପାଇଁ ଦନୈକ ନିର୍ଦ୍ଧାରିତ ସମୟରେ କରାଯାଉଛି ପାଓ୍ବାର କଟ୍‌। ଜିଲାର ଅନୁଗୋଳ, ତାଳଚେର, ପାଲଲହଡ଼ା, ଛେଣ୍ଡିପଦା ଓ ବଇଣ୍ଡା ଅଞ୍ଚଳରେ ସକାଳେ ଏକ ଘଣ୍ଟା ଓ ରାତିରେ ଘଣ୍ଟାଏ ଲେଖାଏ ବିଦ୍ୟୁତ୍‌ କାଟି ଦିଆଯାଉଛି। ଦୀର୍ଘଦିନ ହେଲା ଏପରି ପ୍ରକ୍ରିୟା ଚାଲିଥିଲେ ବି ସେଥିରେ କୌଣସି ସୁଧାର ପରିଲକ୍ଷିତ ହେଉନାହିଁ ବୋଲି ଉପଭୋକ୍ତାମାନେ ଅଭିଯୋଗ କରୁଛନ୍ତି। ଉପଭୋକ୍ତାମାନଙ୍କ କହିବା ଅନୁଯାୟୀ, ଜିଲାରେ ଥିବା ଶିଳ୍ପ ସଂସ୍ଥାଗୁଡ଼ିକ କେମିତି ସମସ୍ତ ପ୍ରକାର ସରକାରୀ ସୁବିଧା ପାଇପାରିବେ ତାହାକୁ ପ୍ରଶାସନିକ ଅଧିକାରୀମାନେ ଜଗୁଥିବା ବେଳେ ଜିଲାବାସୀଙ୍କ ସ୍ବାର୍ଥକୁ ଅଣଦେଖା କରୁଛନ୍ତି। ଏହାର ଶ୍ରେଷ୍ଠ ଉଦାହରଣ ଅଭାବ ଜନିତ ବିଦ୍ୟୁତ୍‌ କାଟ। ପ୍ରଥମେ ଆବଶ୍ୟକ ଅନୁଯାୟୀ ବର୍ଷା ନ ଥିବାରୁ ପାଓ୍ବାର କଟ୍‌ କରାଯାଉଛି ବୋଲି କୁହାଯାଉଥିଲା। ହେଲେ ଘନ ଘନ ଲଘୁଚାପଜନିତ ବର୍ଷା ଯୋଗୁ ସ୍ଥିତି ନିଶ୍ଚିତ ପରିବର୍ତ୍ତନ ହୋଇସାରିଥିବ। ତଥାପି କ’ଣ ପାଇଁ ବିଦ୍ୟୁତ୍‌ କାଟ୍‌ କରାଯାଉଛି ବୋଲି ଉପଭୋକ୍ତାମାନେ ପ୍ରଶ୍ନ କରିନ୍ତି। ଏ ନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଅନୁଗୋଳ ଜିଲାରେ ଅନେକ ରାଷ୍ଟ୍ରାୟତ୍ତ ଓ ଘରୋଇ ବିଦ୍ୟୁତ୍‌ ଉତ୍ପାଦନକାରୀ ସଂସ୍ଥା ରହିଛି। ସରକାରୀ ଭାବେ ଏନ୍‌ଟିପିସି, ଟିଟିପିଏସ୍‌ ଏବଂ ନାଲ୍‌କୋର ନିଜସ୍ବ ତାପଜ ବିଦ୍ୟୁତ୍‌ କେନ୍ଦ୍ର ଥିବା ବେଳେ ବେସରକାରୀ ସଂସ୍ଥା ଯଥା ଜେଏସ୍‌ପିଏଲ୍‌ ଏବଂ ଜେଆଇଟିପିଏଲ୍‌ ମଧ୍ୟ ରହିଛି। ଜିଲାର ଖଣି, ପାଣି, ପବନ ଏବଂ ମାଟିକୁ ଏହି ସମସ୍ତ ଶିଳ୍ପ ସଂସ୍ଥା ବ୍ୟବହାର କରୁଛନ୍ତି। ଏଥିଯୋଗୁ ସୃଷ୍ଟି ହେଉଥିବା ଧୂଆଁ ଏବଂ ପ୍ରଦୂଷଣରେ ଅଞ୍ଚଳବାସୀ ହନ୍ତସନ୍ତ ହେଉଛନ୍ତି। ଏପରି କି ଶିଳ୍ପ ସଂସ୍ଥାଗୁଡ଼ିକ ଯେଉଁ ପରିମାଣରେ ସ୍ଥାନୀୟ ଅଞ୍ଚଳର ଜମି ହାତେଇଛନ୍ତି, ତଦନୁଯାୟୀ ନିଯୁକ୍ତି ମଧ୍ୟ ପ୍ରଦାନ କରିନାହାନ୍ତି। ତଥାପି ଜିଲାର ଅର୍ଥନୈତିକ ବିକାଶ ହେବ ଭାବି ଲୋକମାନେ ଜମି ପ୍ରଦାନ କରିଛନ୍ତି। କିନ୍ତୁ ବିକାଶ କମ୍‌ ବିନାଶ ଅଧିକ ହେଉଛି। ଦେଶର ବିଭିନ୍ନ କୋଣକୁ ଅନୁଗୋଳ ଜିଲାରେ ଉତ୍ପାଦିତ ବିଦ୍ୟୁତ୍‌ ପଠାଯାଉଛି। ହେଲେ ଆଶ୍ଚର୍ଯ୍ୟର ବିଷୟ, ଏଠାକାର ବାସିନ୍ଦାମାନେ ଏହାର ସୁବିଧା ପାଇପାରୁନାହାନ୍ତି। ଓଲଟି ଅଘୋଷିତ ବିଦ୍ୟୁତ୍‌ କାଟ୍‌ର ସମ୍ମୁଖୀନ ହେଉଛନ୍ତି। ଜିଲାର ବହୁ ସଙ୍ଗଠନ ତରଫରୁ ବିଭିନ୍ନ ସମୟରେ ଜିଲାବାସୀଙ୍କୁ ମାଗଣା କିମ୍ବା ରିହାତି ମୂଲ୍ୟରେ ବିଦ୍ୟୁତ୍‌ ସଂଯୋଗ ପାଇଁ ଦାବି କରାଯାଇଛି। କିନ୍ତୁ ଏ ଦାବି ପୂରଣ ହୋଇପାରୁନାହିଁ। କିଛି ମାସ ହେଲା ବିଦ୍ୟୁତ୍‌ ନିଅଣ୍ଟ ହେଉଥିବା ବାହାନା କରି ଅଘୋଷିତ ବିଦ୍ୟୁତ କାଟ୍‌ ହେଉଛି। ଏଠାରେ ପ୍ରଶ୍ନ ଉଠୁଛି, ଜିଲାର ବାସିନ୍ଦାମାନେ ଶିଳ୍ପ ପାଇଁ ସବୁ ଅସୁବିଧା ସହିଯାଉଥିବା ବେଳେ ତାହାର ଲାଭ ଜିଲାବାସୀ ପାଇପାରୁ ନାହାନ୍ତି କାହିଁକି। କ’ଣ ପାଇଁ ଅନୁଗୋଳ ଜିଲା ବଦଳରେ ଅଧିକ ବିଦ୍ୟୁତ୍‌ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର କରାଯାଉଛି। ଏ ନେଇ ସେସୁ ଅନୁଗୋଳ ଡିଭିଜନର ମ୍ୟାନେଜର ନିହାର ରଞ୍ଜନ ପାଣିଗ୍ରାହୀଙ୍କ କହିବା ଅନୁଯାୟୀ, ରାଜ୍ୟରେ ବିଦ୍ୟୁତ୍‌ ଉତ୍ପାଦନ କମ୍‌ ରହିଛି। ତେଣୁ କେବଳ ଅନୁଗୋଳ ନୁହେଁ ସାରା ରାଜ୍ୟରେ ଅଘୋଷିତ ବିଦ୍ୟୁତ୍‌ କାଟ ଚାଲିଛି। କେଉଁ ଅଞ୍ଚଳରେ କେତେ ସମୟ ବିଦ୍ୟୁତ୍‌ କାଟ ହେବ ସେ ନେଇ ଗ୍ରୀଡ଼କୁ ନିର୍ଦ୍ଦେଶ ରହିଥିବା ସେ ପ୍ରକାଶ କରିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri