ଚାକିରି ଦେବାକୁ କହି ଠକେଇ


ଢେଙ୍କାନାଳ ଅଫିସ, ୯।୧୧- ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବ୍ରାହ୍ମଣିଆ ଗ୍ରାମର ସୁବ୍ରତ କୁମାର ନାୟକ ଜାତୀୟ ସ୍ବାସ୍ଥ୍ୟ ମିଶନ (ଏନ୍‌ଏଚ୍‌ଏମ୍‌)ରେ ଚାକରି ପାଇଁ ଅନ୍‌ ଲାଇନରେ ଆବେଦନ କରି ଠକେଇର ଶିକାର ହୋଇଛନ୍ତି। ଏ ସଂକ୍ରାନ୍ତରେ ସେ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ କାର୍ଯ୍ୟାଳୟରେ ପଚରାଉଚୁରା କରିବା ପରେ ଘଟଣା ପଦାକୁ ଆସିଛି। ସୁବ୍ରତଙ୍କ ଅଭିଯୋଗ ଅନୁଯାୟୀ, ଜୁଲାଇ ୩୦ରେ ଗଣମାଧ୍ୟମରେ ଜାତୀୟ ସ୍ବାସ୍ଥ୍ୟ ମିଶନର ଏକ ବିଜ୍ଞାପନ ପ୍ରକାଶିତ ହୋଇଥିଲା। ଏଥିରେ ଦିଆଯାଇଥିବା ଅନ୍‌ଲାଇନ୍‌ ଠିକଣାରେ ସୁବ୍ରତ ଆବେଦନ କରିଥିଲେ। ଅଗଷ୍ଟ ୧୯ରେ ସମ୍ପୃକ୍ତ ସଂସ୍ଥା ପକ୍ଷରୁ ତାଙ୍କୁ ସ୍ବାସ୍ଥ୍ୟ ସଂଯୋଜକ ପଦବୀରେ ନିଯୁକ୍ତି ଦିଆଯାଇଥିବା ଅବଗତ କରାଯାଇଥିଲା। ଏଥିସହ କଲ୍‌ ଲେଟର ପାଇବା ପାଇଁ କଲିକତାର ଏକ ଷ୍ଟେଟ୍‌ବ୍ୟାଙ୍କ ଶାଖାରେ ୪,୫୫୦ ଟଙ୍କାର ବ୍ୟାଙ୍କ ଡ୍ରାଫ୍‌ଟ କରିବାକୁ ଚିଠି ଆସିଥିଲା। ସୁବ୍ରତ ଉକ୍ତ ଠିକଣାରେ ନିୟମ ଅନୁଯାୟୀ ଟଙ୍କା ଦାଖଲ କରିଥିଲେ। ତେବେ ଟଙ୍କା ଜମା କରିବାର ୨ମାସ ପରେ ବି ତାଙ୍କ ପାଖକୁ କୌଣସି କଲ୍‌ ଲେଟର ଆସି ନ ଥିଲା। ଏପରି କି ସଂସ୍ଥା ପକ୍ଷରୁ ପ୍ରଦତ୍ତ ଟେଲିଫୋନ ନମ୍ବରରେ ଯୋଗଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ହେଁ କେହି ଉଠାଇ ନ ଥିଲେ। ଏ ସମ୍ପର୍କରେ ପଚରାଉଚୁରା କରିବାକୁ ସେ ପରିବାର ସଦସ୍ୟଙ୍କ ସହ ଗୁରୁବାର ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ କାର୍ଯ୍ୟାଳୟକୁ ଆସିଥିଲେ। ଖୋଳତାଡ଼ ପରେ ସେ ଠକେଇର ଶିକାର ହୋଇଥିବା ଜଣାପଡ଼ିଥିଲା। ସୁବ୍ରତଙ୍କ ସମେତ ଅନ୍ୟ ୭ଜଣ ପିଲା ସଂସ୍ଥା ପ୍ରଲୋଭନରେ ପଡ଼ି ଟଙ୍କା ହରାଇଥିବା ଜଣାପଡ଼ିଛି। ତେବେ ଭାରତ ସରକାରଙ୍କ ଅଶୋକସ୍ତମ୍ଭ ପ୍ରତୀକ ଥାଇ ବିଜ୍ଞାପନ ପ୍ରକାଶ ପାଇବା ଏବଂ ଏହାକୁ ନେଇ ଚାକିରି ଆଶାୟୀ ଯୁବକ ଠକେଇର ଶିକାର ହେବା ଚର୍ଚ୍ଚାର ବିଷୟ ହୋଇଛି। ଏ ସମ୍ପର୍କରେ ଏନ୍‌ଆର୍‌ଏଚ୍‌ଏମ୍‌ ପ୍ରକଳ୍ପ ଅଧିକାରୀ, ରୂପକ ମହାପାତ୍ର କୁହନ୍ତି, ବିଜ୍ଞାପନ ଦେଇଥିବା ସଂସ୍ଥା ଏକ ଠକ ସଂସ୍ଥା। ପୂର୍ବରୁ ଅନୁଗୋଳ ସେମତ ଅନ୍ୟ ଜିଲାରେ ଅନେକ ପିଲା ଏପରି ଠକେଇର ଶିକାର ହୋଇଛନ୍ତି। ଜାତୀୟ ସ୍ବାସ୍ଥ୍ୟ ମିଶନରେ ଚାକିରି ପାଇଁ କୌଣସି ପଦବୀ ବାହାରିନାହିଁ। ଠକେଇରେ ପଡ଼ିଥିବା ପିଲାଙ୍କୁ ପୋଲିସର ସହାୟତା ନେବାକୁ ପରାମର୍ଶ ଦିଆଯାଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri