ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପ୍ରସାରଣ ପାଇଁ ଟିଭି, ଜେନେରେଟର୍‌ ଯୋଗାଡ଼ ନିର୍ଦ୍ଦେଶ


ଅନୁଗୋଳ ଅଫିସ,୯।୧୧- ଶିଶୁ ଦିବସକୁ ଚଳିତ ବର୍ଷ ବ୍ୟାପକ ତଥା ଭିନ୍ନ ଢଙ୍ଗରେ ପାଳନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ଜିଲାସ୍ତରୀୟ ଉତ୍ସବ ପାଳନ ନିମନ୍ତେ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଥିବାରୁ ଏକ ସମୟରେ ଏହା ପଞ୍ଚାୟତ, ବ୍ଲକ, ଜିଲା ମୁଖ୍ୟାଳୟ ଓ ରାଜ୍ୟସ୍ତରରେ ପାଳନ ହେବ। ପଞ୍ଚାୟତସ୍ତରରେ ଆୟୋଜିତ କାର୍ଯ୍ୟକ୍ରମରେ ୫୦୦ରୁ ଊର୍ଦ୍ଧ୍ୱ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର, ଅଭିଭାବକ ଓ ଶିକ୍ଷୟିତ୍ରୀଶିକ୍ଷକ ଯୋଗ ଦେଉଥିବା ବେଳେ ଜିଲାସ୍ତରରେ ୨୦୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଓ ଅଭିଭାବକ ଯୋଗଦେବେ। ଅତିରିକ୍ତ ଜିଲାପାଳ ଶ୍ରୀନିବାସ ବେହେରାଙ୍କ ଅଧ୍ୟକ୍ଷତାରେ ଓସୱାନ ଭିଡିଓ କନଫରେନ୍ସ ହଲ୍‌ରେ ଅନୁଷ୍ଠିତ ବୈଠକରେ ପ୍ରସ୍ତୁତି କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ୧୪ ତାରିଖ ୧୦ଟା ସୁଦ୍ଧା ପିଲାମାନେ ଉତ୍ସବ ସ୍ଥଳରେ ପହଞ୍ଚତ୍ବା ପରେ ବିଭିନ୍ନ ପ୍ରକାର ଦେଶାତ୍ମବୋଧକ ଓ ଭଜନ ଉପରେ ଆଧାରିତ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଜିଲାର ରୋଲ ମଡେଲମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ପୂର୍ବାହ୍ନ ୧୧ଟାରେ ୫ଟି ଓଡ଼ିଆ ଚ୍ୟାନେଲରେ ପିଲାମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପ୍ରସାରଣ ହେବ। ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲା ଶିକ୍ଷା ଅଧିକାରୀ, ଜିଲା ପ୍ରକଳ୍ପ ସଂଯୋଜକ, ଜିଲା ମଙ୍ଗଳ ଅଧିକାରୀ ମିଳିତ ଭାବେ ଏହି କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ପଦକ୍ଷେପ ନେବାକୁ ଅତିରିକ୍ତ ଜିଲାପାଳ ବେହେରା ପରାମର୍ଶ ଦେଇଥିଲେ। ଗ୍ରାମ ପଞ୍ଚାୟତ ସ୍ତରରେ ପାଳନ ହେଉଥିବା ଏହି ଉତ୍ସବ ନିମନ୍ତେ ଆବଶ୍ୟକ ଟେଲିଭିଜନ ସେଟ୍‌ ଓ ଏହାର ସଂଯୋଗ ନିମନ୍ତେ ସେଟଟପ ବକ୍ସ ସହ ଟେଣ୍ଟ ଏବଂ ପାନୀୟଜଳର ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଥିଲା। ଜିଲାର ୧୫୮ଟି ବେସରକାରୀ ବିଦ୍ୟାଳୟ ନିଜ ନିଜ ଅନୁଷ୍ଠାନରେ ଏହାକୁ ପାଳନ କରିବେ। ତଫସିଲଭୁକ୍ତ ଜାତି, ଜନଜାତି ଉନ୍ନୟନ ବିଭାଗ ଅଧୀନରେ ଚାଲୁଥିବା ବିଦ୍ୟାଳୟଗୁଡ଼ିକର ଛାତ୍ରୀଛାତ୍ରମାନେ ପଞ୍ଚାୟତ, ବ୍ଲକ ଓ ଜିଲାସ୍ତରୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ୧୭୬୫ଟି ପ୍ରାଥମିକ ବିଦ୍ୟାଳୟ ଓ ୨୬୧ଟି ଉଚ୍ଚବିଦ୍ୟାଳୟ ସମେତ ତଫସିଲଭୁକ୍ତ ଜନଜାତି ଓ ଜାତିର ଛାତ୍ରୀଛାତ୍ରମାନେ ଭାଗନେବେ। ଗତ ୭ତାରିଖ ଅପରାହ୍ନରେ ଜିଲାପାଳ ଅନିଲ କୁମାର ସାମଲ ମଧ୍ୟ ଏହି ଶିଶୁ ଦିବସକୁ ସଫଳତାର ସହ ପାଳନ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ, ଉପଜିଲାପାଳ ସରୋଜକାନ୍ତ ମହାନ୍ତିଙ୍କ ସମେତ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ଯୋଗ ଦେଇଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri