୨୦୦୦ ଟଙ୍କା ତଣ୍ଡ ଗଣିଲେନି ବୋଲି... କଙ୍ଗାରୁ କୋର୍ଟରେ ଦଣ୍ଡ


ପରଜଙ୍ଗ, ୮ା୧୧(ଡି.ଏନ୍‌.ଏ.)-ପଡ଼ୋଶୀଙ୍କ ସହ ସାମାନ୍ୟ କଳି। ମାମଲା ଥାନାକୁ ଗଲା। ପୋଲିସ ହସ୍ତକ୍ଷେପ ପରେ ଏହାର ଆପୋସ ସମାଧାନ ବି ହୋଇଗଲା। ହେଲେ ଥାନାରୁ ଗୋଡ଼ କାଢ଼ିବା ପରେ ବଦଳିଗଲା ପରିସ୍ଥିତି। ବସିଲା କଙ୍ଗାରୁକୋର୍ଟ। ୨୦୦୦ ଟଙ୍କା ତଣ୍ଡ ଗଣିବାକୁ କୁହାଗଲା। ଏଥିରେ ଅକ୍ଷମତା ପ୍ରକାଶ କରିବାରୁ ୨ ମହିଳାଙ୍କୁ ମିଳିଛି ଅକଥନୀୟ ନିର୍ଯାତନା। ଚୂନକାଳି ବୋଳି ସେମାନଙ୍କୁ ଗାଁ ଦାଣ୍ଡରେ ବୁଲାଯାଇଛି। କେବଳ ଏତିକି ନୁହେଁ, ସମସ୍ତ ଘଟଣାକ୍ରମର ଭିଡ଼ିଓ ସୋସିଆଲ ମିଡ଼ିଆରେ ଛାଡ଼ି ଦିଆଯାଇଛି। ଶତାଧିକ ଲୋକେ ଏହାର ପ୍ରତ୍ୟକ୍ଷଦର୍ଶୀ ସାଜିଥିବାବେଳେ କେହି ପ୍ରତିବାଦ ସୁଦ୍ଧା କରି ନ ଥିଲେ। ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧ନଂ. କଲୋନୀରେ ଏପରି ସମ୍ବେଦନଶୀଳ ଘଟଣା ଚହଳ ସୃଷ୍ଟି କରିଛି। ଗତ ୩୧ତାରିଖରେ ଏହା ଘଟିଥିଲେ ମଧ୍ୟ ଏହାକୁ ଚପାଇ ଦିଆଯିବାକୁ ଚେଷ୍ଟା କରାଯାଇଥିଲା। ତେବେ ନିର୍ଯାତନାର ଶିକାର ୨ମହିଳା ବୁଧବାର ଥାନାର ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିବା ପରେ ଏହା ପଦାକୁ ଆସିଛି। ଅଭିଯୋଗ ଅନୁଯାୟୀ, ନିର୍ଯାତନାର ଶିକାର ହୋଇଥିବା ଦୁଇ ମହିଳା ପରସ୍ପର ସମ୍ପର୍କୀୟ। କିଛିଦିନ ତଳେ କୌଣସି କାରଣରୁ ପଡେଶୀ ବନିତା ବେହେରାଙ୍କ ସହ ସେମାନଙ୍କ କଜିଆ ହୋଇଥିଲା। ସେମାନେ ଏ ନେଇ ଗ୍ରାମର ମହିଳା ସଂଘରେ ଅଭିଯୋଗ କରିଥିଲେ। ସେଠାରେ ଉଭୟଙ୍କୁ ଏକପାଖିଆ ଭାବେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଚାପର ବଶବର୍ତ୍ତୀ ହୋଇ ସେମାନେ ଦୋଷ ସ୍ବୀକାର କରିଥିଲେ। ଏହାପରେ ସେମାନଙ୍କୁ ଜରିମାନା ବାବଦକୁ ୨୦୦୦ ଟଙ୍କା ଦେବାକୁ ବାଧ୍ୟ କରାଯାଇଥିଲା। ଏଥିରେ ଦୁହେଁ ଅକ୍ଷମତା ପ୍ରକାଶ କରିଥିଲେ। ମାତ୍ର ୨୦୦ ଟଙ୍କା ଦେଇପାରିବେ ବୋଲି କହିଥିଲେ। ଏଥିରେ କେହି ରାଜି ନ ହେବାରୁ ଘଟଣା ଦଦରାଘାଟି ଫାଣ୍ଡିକୁ ଯାଇଥିଲା। ସେଠାରେ ଦୁଇ ପକ୍ଷକୁ ଡାକି ସମାଧାନ କରାଯାଇଥିଲା। ଫାଣ୍ଡିରୁ ଫେରିବା ସମୟରେ ମହିଳା ସଂଘର କେତେଜଣ କର୍ମକର୍ତ୍ତା ସେମାନଙ୍କୁ ବାଟରୁ ଉଠାଇ ନେଇ ପୁନର୍ବାର କଙ୍ଗାରୁ କୋର୍ଟରେ ହାଜର କରାଇଥିଲେ। ନିଷ୍ପତ୍ତି ଅନୁଯାୟୀ ସେହିଦିନ ମଧ୍ୟାହ୍ନରେ ଉଭୟଙ୍କ ମୁହଁରେ କାଳି ବୋଳି, ବେକରେ ଚପଲମାଳ ପକାଇ ଗ୍ରାମରେ ବୁଲାଯାଇଥିଲା। ଏହାର ଭିଡ଼ିଓ ଉତ୍ତୋଳନ କରି ବିଭିନ୍ନ ସୋସିଆଲ ମିଡ଼ିଆରେ ଛାଡ଼ିଦିଆଯାଇଥିଲା। ଥାନାରେ ଏହାର ପ୍ରତିବାଦ କରିବାକୁ ଆସିବାବେଳେ ମହିଳା ସଂଘର କର୍ମକର୍ତ୍ତା ସେମାନଙ୍କୁ ଛାଡ଼ି ନ ଥିଲେ। ଘଟଣାର ୩ ଦିନ ପରେ ଶୁକ୍ରବାର ୨ ପୀଡ଼ିତା ଏପରି ଅମାନୁଷିକ କାର୍ଯ୍ୟକୁ ନେଇ ଥାନାରେ ଅଭିଯୋଗ କରିଥିଲେ। ଏତଲାରେ ସୁଲ ବେହେରା, ଅଞ୍ଜଳି ବେହେରା, ଅବଳା ବେହେରା, ମମତା ବେହେରା, ଜେମା ବେହେରା, ଝୁମୁରି ବେହେରା, ଶୈଳ ବେହେରା, ବନିତା ବେହେରା, ସବିତା ବେହେରାଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ଏ ନେଇ କେସ୍‌ ନଂ ୨୦୪/୧୭, ଦଫା ୩୪୧, ୩୨୩, ୩୫୪, ୫୦୦, ୫୦୪, ୫୦୯ରେ ମାମଲା ରୁଜୁ କରାଯାଇଛି। ତେବେ ଏହାସତ୍ତ୍ୱେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ନ ଥିବାରୁ ଦୁଇ ନିର୍ଯାତିତା ବୁଧବାର ପୁନର୍ବାର ଥାନାକୁ ଆସି ଏ ସମ୍ପର୍କରେ ଜଣାଇଛନ୍ତି। ଏ ସଂକ୍ରାନ୍ତରେ ଥାନାଧିକାରୀ ଲିଙ୍ଗରାଜ ଲେଙ୍କା କୁହନ୍ତି, ୨ମହିଳାଙ୍କ ଅଭିଯୋଗକ୍ରମେ ୯ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି। ଥାନାରେ ମହିଳା ପୋଲିସ କର୍ମଚାରୀ ନ ଥିବାରୁ ସେମାନଙ୍କୁ ଗିରଫ କରିବାରେ ସମସ୍ୟା ହେଉଛି। ଖୁବ୍‌ଶୀଘ୍ର ଫୋର୍ସ ମଗାଯାଇ ଅଭିଯୁ୍‌କ୍ତଙ୍କୁ ଗିରଫ କରାଯିବ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri