ପାଣି ପାଇଁ ଚାଷୀଙ୍କ ଅନଶନ ଘଟଣା: କ୍ଷେତ୍ର ପରିଦର୍ଶନ କଲେ ୩ ଜଣିଆ ଟିମ୍‌


ତାଳଚେର, ୭ା୧୧ (ନି.ପ୍ର.)- ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବସୁଲେଇ ପଞ୍ଚାୟତର ୫ଶହ ଏକର ଜମିରେ ହୋଇଥିବା ଧାନ ଫସଲ ପାଇଁ ପାଣିର ଆବଶ୍ୟକତା ସମ୍ପର୍କରେ ମଙ୍ଗଳବାର ସମଲ ବ୍ୟାରେଜ ନିର୍ବାହୀ ଯନ୍ତ୍ରୀ (ହେଡ୍‌ ୱାର୍କସ୍‌ ଡିଭିଜନ) ଜୟଦେବ ମହାନ୍ତିଙ୍କ ନେତୃତ୍ୱରେ ଏକ ୩ ଜଣିଆ ଟିମ୍‌ ଅନୁଧ୍ୟାନ କରିଛନ୍ତି। ସୋମବାର ଧାରଣାରତ ଚାଷୀମାନଙ୍କୁ ବ୍ୟାରେଜ କର୍ତ୍ତୃପକ୍ଷ ଏଥିପାଇଁ ପ୍ରତିଶ୍ରୁତି ଦେଇଥିଲେ। ପ୍ରକାଶ ଯେ, ସମଲ ବ୍ୟାରେଜ ବାମ କେନାଲରେ ପାଣି ନ ଥିବାରୁ ପଞ୍ଚାୟତର ୫ଶହ ଏକର ଜମିରେ ଫସଲ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ସମସ୍ୟା ସମ୍ପର୍କରେ ଚାଷୀମାନେ ଗତମାସରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ପରେ ପଞ୍ଚାୟତବାସୀଙ୍କ ପକ୍ଷରୁ ଏକ ପ୍ରତିନିଧି ଦଳ ସମଲ ବ୍ୟାରେଜ ମୁଖ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି କେନାଲରେ ପାଣି ଛାଡ଼ିବା ନେଇ ଦାବି କରିଥିଲେ। କିନ୍ତୁ ନିର୍ବାହୀ ଯନ୍ତ୍ରୀ ସିଧାସଳଖ ମନା କରିଦେବାରୁ ଚାଷୀମାନେ ସୋମବାର ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଏହାପରେ ବ୍ୟାରେଜ କର୍ତ୍ତୃପକ୍ଷ ଚାଷ ଜମିର ସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ତଦନୁଯାୟୀ ମଙ୍ଗଳବାର ପୂର୍ବାହ୍ନରେ ବ୍ୟାରେଜ ନିର୍ବାହୀ ଯନ୍ତ୍ରୀଙ୍କ ସହ ଏକ ଟିମ୍‌ ପଞ୍ଚାୟତର ଚାଷ ଜମି ବୁଲି ଦେଖିବା ସହ ବର୍ତ୍ତମାନ ଅବସ୍ଥାରେ ଜମିକୁ କିଭଳି ପାଣି ଯୋଗାଇ ଦେଇହେବ ସେ ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ନିର୍ବାହୀ ଯନ୍ତ୍ରୀ ମହାନ୍ତି କହିଛନ୍ତି, ଫସଲ ରକ୍ଷା ନିମନ୍ତେ ଜରୁରିକାଳୀନ ଭିତ୍ତିରେ ବର୍ତ୍ତମାନ ପମ୍ପିଂ ମାଧ୍ୟମରେ ପାଣି ଯୋଗାଇବାର ବ୍ୟବସ୍ଥା କରିବାକୁ ଗ୍ରାମବାସୀଙ୍କୁ କୁହାଯାଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri