ଚାଷୀ ଆତ୍ମହତ୍ୟା ଅଭିଯୋଗ ଘଟଣା: ପ୍ରଶାସନ, କୃଷି ବିଭାଗର ତଦନ୍ତ


କାମାକ୍ଷାନଗର,୬।୧୧(ଡି.ଏନ.ଏ.)- ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ବାଉଁଶପାଳ ପଞ୍ଚାୟତ ଲେମ୍ବୁପାଳ ଗ୍ରାମର ଚାଷୀ ବାସୁ ହେମ୍ବ୍ରମଙ୍କ ଆତ୍ମହତ୍ୟା ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି। ସୋମବାର ଜିଲା ପ୍ରଶାସନ ଓ କୃଷି ବିଭାଗ ପକ୍ଷରୁ ମିଳିତ ତଦନ୍ତ କରାଯାଇଥିଲା। ଉପଜିଲାପାଳଙ୍କ ଅନୁପସ୍ଥିତିରେ ଦାୟିତ୍ୱରେ ଥିବା ତହସିଲଦାର ସରୋଜ କୁମାର ସ୍ବାଇଁଙ୍କ ନେତୃତ୍ୱରେ ଏସ୍‌ଡିପିଓ ଶେଖ ଅବଦୁଲ କରିମ, ବିଡିଓ ପୀତାମ୍ବର ସାମଲ, କାମାକ୍ଷାନଗର ଜିଲା କୃଷି ଅଧିକାରୀ ଦେବୀ ପ୍ରସାଦ ସାହୁଙ୍କ ସମେତ ଅନ୍ୟ ପଦାଧିକାରୀ ଲେମ୍ବୁପାଳରେ ପହଞ୍ଚି ମୃତ ବାସୁଙ୍କ ପରିବାର ସଦସ୍ୟଙ୍କଠାରୁ ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ। ପରେ କୃଷି ବିଭାଗ ପକ୍ଷରୁ ଚାଷ ଜମିକୁ ଯାଇ ତଦନ୍ତ କରାଯାଇଥିଲା। ପ୍ରଶାସନ ପକ୍ଷରୁ ମୃତ ପରିବାରକୁ ରେଡକ୍ରସ ପକ୍ଷରୁ ୧୦ ହଜାର ଟଙ୍କାର ସହାୟତା ଦିଆଯାଇଥିଲା। ତଦନ୍ତ ଶେଷ ହେବା ପରେ ସମସ୍ତ ତଥ୍ୟ ଜଣାପଡିବ ବୋଲି ସମ୍ପୃକ୍ତ ତଦନ୍ତକାରୀ ଅଧିକାରୀମାନେ ସୂଚନା ଦେଇଛନ୍ତି। ସହକାରୀ ସମବାୟ ସମିତି ନିବନ୍ଧକ ବିଜେନ୍ଦ୍ର କୁମାର ମହାନ୍ତି, ସହକାରୀ କୃଷି ଅଧିକାରୀ ସନ୍ତୋଷ କୁମାର ତରାଇ, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଶରତଚନ୍ଦ୍ର ମହାନ୍ତି, ରାଜସ୍ବ ନିରୀକ୍ଷକ ସୁଭଦା୍ର ସାହୁ ଓ ସହକାରୀ ରାଜସ୍ବ ନିରୀକ୍ଷକ ଟୁକୁନା ବେହେରା ପ୍ରମୁଖ ତଦନ୍ତ ବେଳେ ଉପସ୍ଥିତ ଥିଲେ। ହେଲେ ପ୍ରଶାସନିକ ଅଧିକାରୀମାନେ ପହଞ୍ଚିବା ପୂର୍ବରୁ ମୃତ ଚାଷୀ ବାସୁଙ୍କ ଘରେ ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟା ପହଞ୍ଚିବା ଏବଂ ଜିଲା ପରିଷଦ ସଭ୍ୟ ପ୍ରେମାନନ୍ଦ ସାହୁଙ୍କୁ ସାଥିରେ ଧରି ବିଡିଓ ଲେମ୍ବୁପାଳ ଯିବା ଗ୍ରାମବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଚାଷୀ ବାସୁ ଆତ୍ମହତ୍ୟା କରିଥିବା ଜଣାପଡ଼ିବା ପରେ, ଏପରି କି ମୃତଦେହ ଗଁ।ରେ ପହଞ୍ଚିବା ଖବର ପାଇଥିଲେ ବି ସ୍ଥାନୀୟ ଜନପ୍ରତିନିଧିଙ୍କ ଦେଖା ମିଳି ନ ଥିଲା। ମୃତଦେହ ସଂସ୍କାର ପାଇଁ ମଧ୍ୟ ପଞ୍ଚାୟତ ପକ୍ଷରୁ ଉକ୍ତଦିନ ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ପ୍ରଦାନ କରା ନ ଯାଇ ରବିବାର ତାହା ଦିଆଯାଇଥିଲା। କିନ୍ତୁ ଘଟଣାର ତଦନ୍ତ ପାଇଁ ଅଧିକାରୀମାନେ ପହଞ୍ଚିବା ପୂର୍ବରୁ ସରପଞ୍ଚ, ସମିତିସଭ୍ୟା ବାସୁଙ୍କ ଘରେ ଉପସ୍ଥିତ ରହିବା ଓ ଜିଲା ପରିଷଦ ସଭ୍ୟଙ୍କୁ ସାଥିରେ ଧରି ବିଡିଓ ଘଟଣାସ୍ଥଳକୁ ଯିବା ତଦନ୍ତର ନିରପେକ୍ଷତା ଉପରେ ସନ୍ଦେହ ସୃଷ୍ଟି କରୁଛି। ସେହିପରି ଘଟଣାସ୍ଥଳରେ ଉପସ୍ଥିତ ଥିବା ଭାଜପାର ଏକ ପ୍ରତିନିଧି ଦଳ ଚାଷୀ ଆତ୍ମହତ୍ୟା ଅଭିଯୋଗକୁ ପ୍ରଶାସନିକ ସ୍ତରରେ ଚପାଇ ଦେବା ପାଇଁ ଶାସକ ଦଳ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ ନିମନ୍ତେ ମଙ୍ଗଳବାର ବାଉଁଶପାଳ ଛକଠାରେ ଜାତୀୟ ରାଜପଥକୁ ଅବରୋଧ କରାଯିବ ବୋଲି ଭାଜପା କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri