ପୋଲିସ ଜାଲରେ ଦୁର୍ଦ୍ଦାନ୍ତ ସେତୁ: ଭାଜପା କରିଥିଲା ଜିଲା ପରିଷଦ ପ୍ରାର୍ଥୀ


ବନ୍ତଳା, ୫।୧୧(ଡି.ଏନ.ଏ)- ଅନୁଗୋଳ ଜିଲା ପୋଲିସର ନିଦ ହଜାଇ ଦେଇଥିବା ଦୁର୍ଦ୍ଦାନ୍ତ ଅପରାଧୀ ସେତୁ ସାମଲ ଓରଫ ରୂପେଶ (୪୪) ଧରାପଡ଼ିଛନ୍ତି। ଏସ୍‌ପିଙ୍କ ନିର୍ଦ୍ଦେଶରେ ନିଯୁକ୍ତ ହୋଇଥିବା ସ୍ବତନ୍ତ୍ର ସ୍କ୍ବାଡ୍‌ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଜିଲାର ବିଭିନ୍ନ ଥାନା ଇଲାକାରେ ଘଟିଥିବା ଏକାଧିକ ଡକାୟତି, ହତ୍ୟା, ରାହାଜାନି ଭଳି ଘଟଣାର ସେ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ଏପରିକି ତାଙ୍କ ନାମରେ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ମଧ୍ୟ ଲାଗୁ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଗତ ପଞ୍ଚାୟତ ନିର୍ବାଚନରେ ସେ ଭାଜପା ପକ୍ଷରୁ ଜିଲା ପରିଷଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ରବିବାର ଅପରାହ୍ନରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେତୁଙ୍କ ଘର ପୁରୁଣାଗଡ଼ ପାଞ୍ଜିଆସାହିରେ। ସେ ଦୀର୍ଘ ବର୍ଷ ହେଲା ପୋଲିସକୁ ଚକ୍‌ମା ଦେଖାଇ ଫେରାର ଥିଲେ। ଏସ୍‌ପି ବ୍ରିଜେଶ କୁମାରଙ୍କ ନିର୍ଦ୍ଦେଶରେ ଗଠିତ ଏକ ସ୍ବତନ୍ତ୍ର ଟିମ୍‌ ଅନୁଗୋଳ ଥାନା ଶୁଶୁଡା ଗ୍ରାମସ୍ଥିତ ଶ୍ୱଶୁର ଘରୁ ତାଙ୍କୁ ଗିରଫ କରିଛି। ଏହି ଟିମ୍‌ରେ ଏସ୍‌ପିଙ୍କ ସ୍ବତନ୍ତ୍ର ସ୍କ୍ବାଡ୍‌ ସଦସ୍ୟଙ୍କ ସହ ବନ୍ତଳା ଥାନା ଆଇଆଇସି ସବ୍ୟସାଚୀ ରାଉତ, ଏଏସ୍‌ଆଇ ଏସ୍‌. ପି. ଧୀର ସାମିଲ ହୋଇଥିଲେ। ଆଇଆଇସି ସବ୍ୟସାଚୀଙ୍କ ସୂଚନା ମୁତାବକ, ଏକାଧିକ ବଡଧରଣର ଅପରାଧରେ ସମ୍ପୃକ୍ତ ସେତୁ ୨୦୦୪ରେ ଏନ୍‌ଏସ୍‌ଏ (ଜାତୀୟ ନିରାପତ୍ତା ଆଇନ୍‌)ରେ ବୁକ୍‌ ହୋଇ ଗିରଫ ହୋଇଥିଲେ। ପରେ ଜାମିନ୍‌ରେ ମୁକୁଳିଥିଲେ। ତେବେ ଜାମିନରେ ଆସିବା ପରେ ତାଙ୍କ ଆପରାଧିକ କାର୍ଯ୍ୟକଳାପ ବଢ଼ିଚାଲିଥିଲା। ୨୦୧୩ରେ ତାଙ୍କ ନାମରେ ବନ୍ତଳା ଥାନାରେ ଗଞ୍ଜେଇ ମାମଲା (ନଂ. ୬୬/୧୩) ରୁଜୁ ହୋଇଥିଲା। ସେହିପରି ଅନ୍ୟ ଏକ ମାମଲାରେ ଆଠମଲ୍ଲିକ ଏସ୍‌ଡିଜେଏମ୍‌ କୋର୍ଟ ପକ୍ଷରୁ ସିଟି ୧୦୦୬/୧୫ରେ ୱାରେଣ୍ଟ ଜାରି ହୋଇଥିଲା। ୨୦୧୭ ଫେବୃୟାରୀ ୧୦ରେ ତପୋବନ ଢାବାରେ ଭଙ୍ଗାରୁଜା, ମାରପିଟ୍‌, ଡକାୟତି ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେ ଜରପଡ଼ା ଥାନାରେ ମାମଲା ରହିଛି। ସେହିପରି ୨୦୧୭ ଜୁଲାଇ ୧୦ରେ ଜରପଡ଼ା ଥାନା ଅଞ୍ଚଳରେ ଡକାୟତି ଉଦ୍ୟମ, ୨୦୧୭ ଏପ୍ରିଲରେ ପୁରୁଣାକୋଟ ଥାନା କନ୍ଧକୋଇଲି ଗ୍ରାମରେ ବିଦ୍ୟୁତ୍‌ ଟାୱାର ନିର୍ମାଣରେ ନିୟୋଜିତ ରାତ୍ର ଜଗୁଆଳିଙ୍କୁ ହତ୍ୟା ମାମଲାର ସେ ମୁଖ୍ୟ ଅଭିଯୁକ୍ତ ଥିଲେ। ଏହି ହତ୍ୟା ଘଟଣାରେ ପୁରୁଣାକୋଟ ଥାନାରେ ନଂ. ୧୪/୧୭ରେ ମାମଲା ରୁଜୁ ହୋଇଥିଲା। ଏସବୁ ଭିତରେ ୨୦୧୭ ପଞ୍ଚାୟତ ନିର୍ବାଚନରେ ଜିଲା ଭାଜପା ପକ୍ଷରୁ ତାଙ୍କୁ ଜିଲା ପରିଷଦ ପ୍ରାର୍ଥୀ କରାଯାଇଥିଲା। ସେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ଜୋନ୍‌ ନଂ. ୧୭ରୁ ଲଢି ପରାଜିତ ହୋଇଥିଲେ। ଏବେ ପୋଲିସ ଗିରଫ କରିବା ପରେ ଭାଜପା ପକ୍ଷରୁ ଏ ନେଇ ସ୍ପଷ୍ଟୀକରଣ ଦିଆଯାଇଛି। ଜିଲା ସଭାପତି ଭାଗୀରଥି ପ୍ରଧାନ ଏ ସମ୍ପର୍କରେ କୁହନ୍ତି, ସେତୁ ଆପରାଧିକ ମାମଲାରେ ଜଡିତ ଥିବା ଜଣା ନ ଥିଲା। ସେଥିପାଇଁ ଟିକେଟ ଦିଆଯାଇଥିଲା। ଏହା ଜଣାପଡିବା ପରେ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଛି। ତେବେ ଜଣେ ଅଭିଯୁକ୍ତଙ୍କୁ ଟିକେଟ ଦିଆଯିବା ଓ ଏ ସମ୍ପର୍କରେ ନେତୃବୃନ୍ଦ ଜାଣି ନ ଥିବା ଦଳୀୟ ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri