୨୪,୫୦୪ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ: ମିଳିଲା ୧୬.୬୬ କୋଟି ସହାୟତା


ଢେଙ୍କାନାଳ ଅଫିସ, ୫ା୧୧ -ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଢେଙ୍କାନାଳରେ ବ୍ୟାପକ ଖରିଫ ଧାନ ଫସଲ ନଷ୍ଟ ହୋଇଛି। ଜିଲାରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ଉଠିଛି। ଫସଲ କ୍ଷତିପୂରଣ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି କ୍ଷତିଗ୍ରସ୍ତ ଚାଷୀ। ଏହାପରେ ସରକାରୀସ୍ତରରେ ମରୁଡ଼ି ଆକଳନ ରିପୋର୍ଟ ପ୍ରକାଶ ପାଇଛି। ଆବଶ୍ୟକ ପରିମାଣଠାରୁ କମ୍‌ ବର୍ଷା ଯୋଗୁ ମୋଟ ୨୪,୫୦୪.୧୭ ହେକ୍ଟର ଧାନଚାଷ ନଷ୍ଟ ହୋଇଥିବା ଏଥିରେ ଦର୍ଶାଯାଇଛି। ପ୍ରଥମ ପର୍ଯ୍ୟାୟ ସର୍ଭେରେ ୩୫ ହଜାର ହେକ୍ଟର ଚାଷ କ୍ଷତିଗ୍ରସ୍ତ ହୋଇଥିବା କୃଷି ଅଧିକାରୀ କହିଥିଲେ। ବର୍ତ୍ତମାନ ସରକାରୀ ଭାବେ ୨୪,୫୦୪.୧୭ ହେକ୍ଟର ଜମିରେ ଚାଷ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ଦିଆଯାଇଛି। ସେହିପରି ଭୁବନ, କାମାକ୍ଷାନଗର ବ୍ଲକ ଅଞ୍ଚଳରେ ୬ ହେକ୍ଟର ଜମିରେ ଚକଡ଼ା ଏବଂ ୨୪୦ ହେକ୍ଟର ଜମିରେ ମହିଷିଆ ରୋଗ ହୋଇଛି। କ୍ଷତିପୂରଣ ବାବଦକୁ ସରକାରଙ୍କ ପକ୍ଷରୁ ୧୬କୋଟି ୬୬ଲକ୍ଷ ୨୮ହଜାର ୩୫୬ ଟଙ୍କା ପ୍ରଦାନ କରାଯାଇଥିବା କୃଷି ବିଭାଗ ପକ୍ଷରୁ କୁହାଯାଇଛି। ବର୍ଷାଭାବରୁ ଜିଲାରେ ଦେଖାଦେଇଥିବା ମରୁଡ଼ି ପରିସ୍ଥିତିକୁ ନେଇ ରାଜସ୍ବ, କୃଷି ବିଭାଗ ପକ୍ଷରୁ ଯୁଗ୍ମ ତଦନ୍ତ କରାଯାଇଥିଲା। ୮ ବ୍ଲକର ୧୬୬ଟି ପଞ୍ଚାୟତର ୭୧୬ ଗ୍ରାମରେ ଚାଷ କ୍ଷତିଗ୍ରସ୍ତ ହୋଇଛି। ୪୦୩୨.୨୧ ହେକ୍ଟର ଜମିରେ ୩୩ରୁ ୫୦% ଯାଏ ଫସଲ କ୍ଷତି ହୋଇଛି। ୨୦,୪୭୧.୯୬ ହେକ୍ଟରରେ ୫୦%ରୁ ଊର୍ଦ୍ଧ୍ୱ ଚାଷ ନଷ୍ଟ ହୋଇଛି। ସଦର ବ୍ଲକ ଓ ପୌରାଞ୍ଚଳର ୧୪୧ ଗ୍ରାମରେ ୧୬୯୩ ହେକ୍ଟର, ଗଁଦିଆ ବ୍ଲକର ୧୮୭ ଗ୍ରାମରେ ୮୦୭୦ ହେକ୍ଟର, ଓଡ଼ାପଡ଼ା ବ୍ଲକର ୧୩୪ ଗ୍ରାମରେ ୪୪୧୮ ହେକ୍ଟର, ହିନ୍ଦୋଳ ବ୍ଲକର ୫୭ ଗ୍ରାମରେ ୧୬୫୯ ହେକ୍ଟର, କାମାକ୍ଷାନଗର ଏନ୍‌ଏସି ଓ ଗ୍ରାମାଞ୍ଚଳର ୫୮ ଗ୍ରାମରେ ୧୭୧୪.୦୮ ହେକ୍ଟର, ଭୁବନ ଏନ୍‌ଏସି ଓ ବ୍ଲକର ୧୦ ଗ୍ରାମରେ ୧୧୨ ହେକ୍ଟର, ପରଜଙ୍ଗ ବ୍ଲକର ୮୬ ଗ୍ରାମରେ ୪୮୨୭.୨୯ ହେକ୍ଟର, କଙ୍କଡାହାଡ଼ ବ୍ଲକର ୪୩ ଗ୍ରାମରେ ୨୦୧୦.୮ ହେକ୍ଟର ଜମିରେ ଧାନଚାଷ କ୍ଷତିଗ୍ରସ୍ତ ହୋଇଛି। ଧାନଗଛରେ ଚକଡ଼ା ଓ ମହିଷିଆ ପୋକ ଲାଗିବା ଜଣାପଡ଼ିବା ପରେ ଏ ସମ୍ପର୍କରେ ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିବା କୃଷି ଉପନିର୍ଦ୍ଦେଶକ ଛବୀନ୍ଦ୍ର ବେହେରା କହିଛନ୍ତି। ରୋଗପୋକ ପ୍ରାଦୁର୍ଭାବ ଏବଂ ଚାଷ ନଷ୍ଟକୁ ନେଇ ଜିଲା ପ୍ରଶାସନ ଚିନ୍ତାରେ ପଡ଼ିଛି। ଖୁବ୍‌ଶୀଘ୍ର ରିପୋର୍ଟ ପ୍ରଦାନ କରିବାକୁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସରକାରଙ୍କ ପକ୍ଷରୁ କ୍ଷତିପୂରଣ ସହାୟତା ମିଳିବା ପରେ ତହସିଲଦାରମାନଙ୍କୁ ତଦନ୍ତ କରି ଚାଷୀଙ୍କ ତାଲିକା ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜିଲା ଜରୁରୀ ଓ ଆପାତ୍ତକାଳୀନ ଅଧିକାରୀ ସୀତାଂଶୁ ଶେଖର ଦାସ ସୂଚନା ଦେଇଛନ୍ତି। ଅନ୍ୟପଟେ ଖରିଫ୍‌ କ୍ଷତି ରବି ଋତୁରେ ଭରଣା କରିବା ପାଇଁ ଚେଷ୍ଟା କରୁଥିବା ଚାଷୀ ବର୍ତ୍ତମାନ ସୁଦ୍ଧା କ୍ଷତିପୂରଣ ପାଇନାହାନ୍ତି। କ୍ଷତିପୂରଣ ପ୍ରଦାନରେ ବିଳମ୍ବ ହେଉଥିବାରୁ ସେମାନେ ଚିନ୍ତାରେ ପଡ଼ିଛନ୍ତି। ତୁରନ୍ତ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri