ସତେଜ ହେଲା ହଜିଲା ଦିନର ଗାଥା


ଢେଙ୍କାନାଳ ଅଫିସ, ୪।୧୧-ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ। ତା’ ସାଙ୍ଗକୁ କୁନିକୁନି ପିଲାମାନଙ୍କ ସାଧବବୋହୂ ଓ ସାଧବପୁଅ ବେଶ, ଯାହା ଉଜ୍ଜୀବିତ କରିଥିଲା ମହାନ ଉତ୍କଳୀୟ ପରମ୍ପରାକୁ। ଏଥିରେ ସତେଜ ହୋଇଉଠିଥିଲା ସ୍ବର୍ଣ୍ଣିମ ଅତୀତର ହଜିଲା ଦିନର ଗାଥା। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଇତିହାସ ପୃଷ୍ଠାକୁ ରୋମନ୍ଥନ କରିବାର ଅବସର ଆଣିଦେଇଥିଲା ଢେଙ୍କାନାଳର ସନ୍ଧ୍ୟାତାରା ସାହିତ୍ୟ ସଂସଦ। ଅନୁଷ୍ଠାନ ପକ୍ଷରୁ ୩୫ତମ ବୋଇତ ବନ୍ଦାଣ ଉତ୍ସବ ସ୍ଥାନୀୟ ନୂଆପୋଖରୀରେ ଆନନ୍ଦଉଲ୍ଲାସର ସହ ପାଳିତ ହୋଇଯାଇଥିବାବେଳେ ଏଥିରେ ସାମିଲ ହୋଇଥିଲେ ହଜାର ହଜାର ଅଞ୍ଚଳବାସୀ। ଅନୁଷ୍ଠାନ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ପ୍ରଥମେ ଭୋର୍‌ ସାଢ଼େ ୪ଟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହାପରେ ଶତାଧିକ କୁନିକୁନି ପିଲା ସାଧବ ବୋହୂ ଓ ସାଧବପୁଅ ବେଶରେ ସଜେଇ ହୋଇଥିଲେ। ସାଢେ ୫ଟାରେ ବୋଇତ ବନ୍ଦାଣ ସମାରୋହ ଆରମ୍ଭ ହୋଇଥିଲ। ଏଥିରେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ଅବିକଳ ନମୁନା ପ୍ରଦର୍ଶିତ କରାଯାଇଥିଲା। ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଏସ୍‌ପି ବସନ୍ତ କୁମାର ପାଣିଗ୍ରାହୀ ଯୋଗଦେଇଥିଲେ। ଅନୁଷ୍ଠାନର ଉଦ୍ୟମରେ ଦୀର୍ଘ ୩୫ବର୍ଷ ଧରି ଗୌରବମୟ ଐତିହ୍ୟ, ସଂସ୍କୃତି ଓ ପରମ୍ପରା ବଞ୍ଚତ୍ ରହିଛି। ଏହାକୁ ଆଗକୁ ନେବାକୁ ଏସ୍‌ପି ଆହ୍ବାନ କରିଥିଲେ। ସମ୍ମାନିତ ଅତିଥି ଭାବେ ନଗରପାଳ ସୁଧାଂଶୁ କୁମାର ଦଳେଇ ଉପସ୍ଥିତ ରହି ନୂଆପୋଖରୀ କୂଳରେ ନେହେରୁ ପାର୍କର ଉନ୍ନତୀକରଣ କରାଯାଇଥିବା କହିଥିଲେ। ଏହି ଅବସରରେ ଅନୁଷ୍ଠିତ ସାଧବ ବୋହୂ ବେଶ ପ୍ରତିଯୋଗିତାରେ ଅମ୍ରିତା ପ୍ଲେ ସ୍କୁଲର ଦିବ୍ୟାଙ୍କା ସାହୁ, କେନ୍ଦ୍ରୀୟ ବିଦ୍ୟାଳୟର ପ୍ରିୟାଂଶୀ ବିଶ୍ୱାଳ, ଅମ୍ର୍ରିତା ପ୍ଲେ ସ୍କୁଲର ସମୀକ୍ଷା ମହାନ୍ତି ଏବଂ ସାଧବ ପୁଅ ବେଶରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ସାଇପ୍ରସନ୍ନ ବେହେରା, ଅମ୍ରିତା ପ୍ଲେ ସ୍କୁଲର ଦୀକ୍ଷାଂଶୁ ବେହେରା, ସେଣ୍ଟ ଜାଭିୟର୍ସ ସ୍କୁଲର ଶୋଭନ ପ୍ରସନ୍ନ ପାଢ଼ୀ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସର୍ବାଧିକ ପ୍ରତିଯୋଗୀ ଭାଗ ନେଇଥିବା ଅନୁଷ୍ଠାନ ମଧ୍ୟରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପୁରସ୍କୃତ ହୋଇଥିଲା। ସଂସଦର ଉପସଭାପତି ନିରଦାନନ୍ଦ ନନ୍ଦ ଉତ୍ସବରେ ସଭାପତିତ୍ୱ କରିଥିଲେ। ସମ୍ପାଦକ ଶରତ ମିଶ୍ର, ସୁଜିତ ମୁଦୁଲି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଭରତ ହାତୀ, ବିଭୂତି ଭୂଷଣ ବେହେରା, ମାତୃପ୍ରସାଦ ନନ୍ଦ, ନିରଞ୍ଜନ ସାହୁ, ମନୋରଞ୍ଜନ ସାହୁ, ଦୋଳଗୋବିନ୍ଦ ସାହୁ ଓ ମହାବୀର ସାହୁ ପ୍ରମୁଖ ସହଯୋଗ କରିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri