୩୨ତମ ନଟରାଜ କୁମାରୋତ୍ସବ ଉଦ୍‌ଘାଟିତ


ଢେଙ୍କାନାଳ ଅଫିସ, ୫।୧୦-ଢେଙ୍କାନାଳ ମିନି ଷ୍ଟାଡିୟମ୍‌ ଗଜଲକ୍ଷ୍ମୀ କଳାମଣ୍ଡପରେ ଗୁରୁବାର ସନ୍ଧ୍ୟାରେ ୩୨ତମ ନଟରାଜ କୁମାରୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ନଟରାଜ ସଙ୍ଗୀତ ମହାବିଦ୍ୟାଳୟ, ସାମ୍ବାଦିକ ସଂଘ, ଜିଲା ସଂସ୍କୃତି ପରିଷଦ, ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଦୁଇଦିନ ବ୍ୟାପୀ ଏହି ଉତ୍ସବ ଅନୁଷ୍ଠିତ ହେଉଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କହିଲେ, ସଂସ୍କୃତି ମଣିଷକୁ ବଞ୍ଚତ୍ବା ପାଇଁ ପ୍ରେରଣା ଯୋଗାଏ। ଥକି ଯାଇଥିବା ମଣିଷ ସଙ୍ଗୀତ ଓ ନୃତ୍ୟକୁ ଉପଭୋଗ କରିବା ପରେ ସୁସ୍ଥ ଅନୁଭବ କରେ। ଆଜି ମୋର ଦିନ, ମୁଁ ଜିତିବି, ଭଗବାନ ମୋର ଭରସା ଏହି ତିନିମନ୍ତ୍ରକୁ ଗ୍ରହଣ କରି ଜଣେ କଳାକାର କର୍ମପଥରେ ଆଗେଇ ଚାଲିଲେ ନିଶ୍ଚିତ ସଫଳତା ହାସଲ କରିପାରିବେ ବୋଲି ମନ୍ତ୍ରୀ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଭାବେ ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଅକ୍ଷୟ କୁମାର ମହାନ୍ତି, ଜିଲାପାଳ ଭୂପେନ୍ଦ୍ର ସିଂ ପୁନିଆ ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲାର କଳା ଓ ସଂସ୍କୃତିକୁ ଆଗକୁ ନେଉଥିବା କଳାକାର ବାସ୍ତବିକ ପ୍ରଶଂସାର ହକ୍‌ଦାର। ନଟରାଜ ଅନୁଷ୍ଠାନ ଗଢୁଥିବା କଳାକାରମାନେ ଆଗାମୀ ଦିନରେ ଗର୍ବ ଓ ଗୌରବ ସାଜିବେ ବୋଲି ସେମାନେ ମତ ରଖିଥିଲେ। ଅନୁଷ୍ଠାନ ପକ୍ଷରୁ ଚଳିତବର୍ଷ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ରତିକାନ୍ତ ମହାପାତ୍ରଙ୍କୁ ଭଜନ ସମ୍ରାଟ ଭିକାରୀବଳ ସମ୍ମାନରେ ସମ୍ମାନିତ କରାଯାଇଥିଲା। ନାଟ୍ୟକାର ସୁବୋଧ ପଟ୍ଟନାୟକଙ୍କୁ ନଟରାଜ ସମ୍ମାନ, କଣ୍ଠଶିଳ୍ପୀ ଟି. ସୌରୀଙ୍କୁ ନଟରାଜ ସଙ୍ଗୀତ ସମ୍ମାନ ପ୍ରଦାନ କରାଯାଇଥିଲା। ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲ। ନିରଦାନନ୍ଦ ନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ସମ୍ପାଦକ ଅଶୋକ କୁମାର ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ। ସଭାପତି କୃଷ୍ଣକୁମାର ମିଶ୍ର ଉତ୍ସବକୁ ପରିଚାଳନା କରିଥିଲେ। ସତ୍ୟ ନାରାୟଣ କର କାର୍ଯ୍ୟକ୍ରମକୁ ସଂଯୋଜନା ଏବଂ ପ୍ରୋତିମା ସିହ୍ନା ଧନ୍ୟବାଦ ଦେଇଥିଲେ। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri