ମଣ୍ଡପରେ ମହାଲକ୍ଷ୍ମୀ


ଢେଙ୍କାନାଳ ଅଫିସ୍‌, ୫।୧୦-ଜଗତ କଲ୍ୟାଣମୟୀ ସେ । ଯାହାଙ୍କ ଆଶିଷରେ ଚରଣ ଛୁଏଁ ସୁଖସମୃଦ୍ଧି। ଐଶ୍ୱର୍ଯ୍ୟରେ ଭରିଯାଏ ପରିବାର। ଧନଧାନ୍ୟରେ ପୂରିଉଠେ ଭଣ୍ଡାର। ଖାସ୍‌ ସେଇଥିପାଇଁ ଆଶ୍ୱିନ ଉପାନ୍ତରେ ଭକ୍ତଙ୍କୁ କରୁଣା ବାରିଧିରେ ଭିଜାଇବା ପାଇଁ ସେ ଓହ୍ଲାଇ ଆସଛନ୍ତି ଧରାପୃଷ୍ଠକୁ । ସମୃଦ୍ଧିର ପ୍ରତୀକ ଦେବୀ ମହାଲକ୍ଷ୍ମୀଙ୍କ ଆବାହନ ପାଇଁ ଢେଙ୍କାନାଳ ଚଳଚଞ୍ଚଳ ହୋଇଉଠିଥିବାବେଳେ ଏହି ଗଣପର୍ବରେ ମସ୍‌ଗୁଲ ହୋଇଉଠିଛନ୍ତି ଜିଲାବାସୀ। ପବିତ୍ର କୁମାର ପୂର୍ଣ୍ଣିମାରୁ ଆରମ୍ଭ ହୋଇଛି ଢେଙ୍କାନାଳର ଗଣପର୍ବ ଲକ୍ଷ୍ମୀପୂଜା। ଭକ୍ତଙ୍କ ଗହଳରେ ବିଜେ କରିଛନ୍ତି ଧନଦାତ୍ରୀ। ଉତ୍ସବମୁଖର ହୋଇଉଠିଛି ପୂଜାମଣ୍ଡପ। ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି ସହର। ସମୃଦ୍ଧିର ଦେବୀ ମା’ଲକ୍ଷ୍ମୀଙ୍କୁ ପୂଜାରେ ସଭିଏଁ ତଲ୍ଲୀନ। ଗୁରୁବାର ରାତି ୯ଟା ପରେ ମଣ୍ଡପଗୁଡିକରେ ପୂଜା ଆରମ୍ଭ ହୋଇଛି। କଳସ ଯାତ୍ରା, ମହାଲକ୍ଷ୍ମୀ ପୁରାଣ, ବେଦମନ୍ତ୍ର, ଘଣ୍ଟ ଶଙ୍ଖ, ବାଦ୍ୟରେ ସମଗ୍ର ସହର ପ୍ରକମ୍ପିତ ହୋଇଉଠିଛି। ପ୍ରଥମ ଦିବସରୁ ସହରରେ ପ୍ରବଳ ଭିଡ଼ ହୋଇଥିବାବେଳେ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ, ଉଦ୍ଦୀପନା ପ୍ରକାଶ ପାଇଛି। ମଧ୍ୟରାତ୍ର ସୁଦ୍ଧା ମିନାବଜାର, ଜବାହରଚୌକ, ଲକ୍ଷ୍ମୀବଜାର, ଗଣେଶ ବଜାର, କୈବଲ୍ୟ ବଜାର, ବସ୍‌ଷ୍ଟାଣ୍ଡ, ଆନନ୍ଦ ବଜାର, କାରିଗର ସାହି, ବାଜିଚୌକ, କୁଞ୍ଜକାନ୍ତ, କଲେଜ ଛକ ସମେତ ବିଭିନ୍ନ ମଣ୍ଡପରେ ମା’ଙ୍କ ଆବାହନ ଆରମ୍ଭ ହୋଇଛି। ବସ୍‌ଷ୍ଟାଣ୍ଡ-ଅମଲାପଡ଼ା ପୂଜା ପ୍ରତିଷ୍ଠାନ ୫୦ବର୍ଷ ପୂର୍ତ୍ତି ଅବସରରେ ଚଳିତବର୍ଷ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରୁଛି। ଏଥିପାଇଁ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତା ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ମଧ୍ୟାହ୍ନରେ ମହାବୀର ବଜାର ପୂଜା ପ୍ରତିଷ୍ଠାନ ପକ୍ଷରୁ କଳସ ଶୋଭାଯାତ୍ରାରେ ବ୍ରାହ୍ମଣୀ ନଦୀରୁ ପାଣି ଅଣାଯାଇଥିଲା। ଅପରାହ୍ନରେ ଗଣେଶ ବଜାର ପୂଜା ପ୍ରତିଷ୍ଠାନ ପକ୍ଷରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ସେହିପରି ସନ୍ଧ୍ୟାରେ ବସ୍‌ଷ୍ଟାଣ୍ଡ ପୂଜା ପ୍ରତିଷ୍ଠାନ ପକ୍ଷରୁ କଳସ ଯାତ୍ରାରେ ପବିତ୍ର ପାଣି ଅଣାଯାଇ ପୂଜା ମଣ୍ଡପରେ ସ୍ଥାପନ କରାଯାଇଛି। କୈବଲ୍ୟ ବଜାର ପୂଜା ପ୍ରତିଷ୍ଠାନରେ ରାଜ ପରମ୍ପରା ଅନୁଯାୟୀ ଯୁବରାଜ ଅମରଜ୍ୟୋତି ସିଂଦେଓ କର୍ତ୍ତାଭାବେ ପୂଜାରେ ବସିଥିଲେ। ୧୧ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ଗଣପର୍ବ ପାଇଁ ସର୍ବତ୍ର ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଛି। ସୁରକ୍ଷା ପାଇଁ ସହରରେ ସଶସ୍ତ୍ର ଫୋର୍ସ ମୁତୟନ କରାଯାଇଛି। ପୂଜା ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ଜିଲାପାଳ ଭୂପେନ୍ଦ୍ର ସିଂ ପୁନିଆ, ଏସ୍‌ପି ବସନ୍ତ କୁମାର ପାଣିଗ୍ରାହୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଲକ୍ଷ୍ମୀପୂଜା ଉପଲକ୍ଷେ ମହିଷାପାଟ ପଡ଼ିଆରେ ଶୁକ୍ରବାର ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା ଉଦ୍‌ଘାଟନ ହେବ। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri