ମଜୁରି ମାଗି ମାଡ଼ ଖାଇଲେ ଆଦିବାସୀ ବୃଦ୍ଧା


ରାସୋଳ, ୫।୧୦(ଡି.ଏନ.ଏ.)-ଢେଙ୍କାନାଳ ଜିଲା ରାସୋଳ ଥାନା ବାବନ୍ଧସ୍ଥିତ ଏକ ମୁଗୁନି ପଥରେ ଖଣିରେ କାମ କରୁଥିବା ଜଣେ ଆଦିବାସୀ ବୃଦ୍ଧାଙ୍କୁ ମାଡ଼ ମରାଯାଇଛି। ବକେୟା ମଜୁରି ଟଙ୍କା ମାଗିବାରୁ ଖଣିର ସୁପରଭାଇଜର ତାଙ୍କୁ ନିସ୍ତୁକ ପିଟିଥିବା ଥାନାରେ ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ କେସ୍‌ ନଂ. ୯୯/୧୭, ଦଫା ୩୪୧, ୩୨୩, ୨୯୪, ୩୫୪ (ବି), ୫୦୬, ୩ ଏସ୍‌ସି/ଏସ୍‌ଟି ଆକ୍ଟରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପତଳା ଗ୍ରାମର ସନ୍ତୋଷ ବିଶ୍ୱାଳଙ୍କ ମୁଗୁନିପଥର ଖଣିରେ ବାଲେଶ୍ୱର କୋଦମଶୋଳ ଅଞ୍ଚଳର ଗୁରୁବାରୀ ସିଂ (୬୨) ଦିନ ମଜୁରିଆ ଭାବେ କାମ କରନ୍ତି। କାମ ବାବଦକୁ ତାଙ୍କୁ ଦୈନିକ ୨ଶହ ଟଙ୍କା ହିସାବରେ ସପ୍ତାହରେ ୬ଦିନ କାମ ପାଇଁ ୧୨୦୦ ଟଙ୍କା ଦିଆଯିବାକୁ ଚୁକ୍ତି କରାଯାଇଥିଲା। ଗୁରୁବାରୀ ପ୍ରାପ୍ୟ ଟଙ୍କାରୁ ୧ ହଜାର ଟଙ୍କା ମାଲିକଙ୍କ ପାଖରେ ରଖୁଥିଲେ। ଏହିପରି ବର୍ଷକର ଜମା ବାବଦ ୫୦ ହଜାର ଟଙ୍କା ତାଙ୍କର ପାଇବାର ଥିଲା। ବୁଧବାର ସେ ବକେୟା ଟଙ୍କା ମାଗିବାକୁ ଯାଇଥିଲେ। ହେଲେ ସୁପରଭାଇଜର ତୋଫାନୀ ମାହାପାତ୍ର ମାଲିକଙ୍କୁ ଦେଖା କରିବାକୁ ଛାଡ଼ି ନ ଥିଲେ। ଟଙ୍କା ଦେବା ପରିବର୍ତ୍ତେ ସେ ତାଙ୍କୁ ଠେଙ୍ଗାରେ ନିସ୍ତୁକ ପିଟିଥିଲେ। ଏଥିରେ ଗୁରୁବାରୀଙ୍କ କାନ୍ଧ, ପଞ୍ଜରା ହାଡ଼ ଏବଂ ହାତରେ ଗଭୀର ଆଘାତ ଲାଗିଛି। ବୃଦ୍ଧା ଜୀବନ ବିକଳରେ ଖସିଆସି ଖଜୁରିଆକଟା ଚିକିତ୍ସାଳୟରେ ପହଞ୍ଚତ୍ଥିଲେ। ପରେ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ, ଗୁରୁବାରୀଙ୍କ ସ୍ବାମୀ ଛାଡ଼ି ଚାଲିଯାଇଛନ୍ତି। ତାଙ୍କର ସମ୍ପର୍କୀୟ ବୋଲି କେହିନାହାନ୍ତି। ଦଲାଲଙ୍କ ଚକ୍ରାନ୍ତରେ ପଡ଼ି ପେଟ ପାଟଣା ଚିନ୍ତାରେ ସେ ପଥର ଖଣିରେ କାମ କରୁଥିଲେ। ଘଟଣା ପଦାକୁ ଆସିବା ପରେ ଜିଲାରେ ଚାଲିଥିବା ବିଭିନ୍ନ ପଥର ଖାଦାନରେ ଶ୍ରମିକମାନେ ନିର୍ଯାତିତ ହେଉଥିବା ସ୍ପଷ୍ଟ ହୋଇଛି। ଅନ୍ୟପଟେ ଜଣେ ବୃଦ୍ଧାଙ୍କୁ ଆଇନ ଉଲ୍ଲଂଘନ କରି କିପରି କାମରେ ଲଗାଯାଇଥିଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାର ନିରପେକ୍ଷ ତଦନ୍ତ କରାଗଲେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri