ଡେଙ୍ଗୁ ନେଲା ଛାତ୍ରୀ ଜୀବନ


ଢେଙ୍କାନାଳ ଅଫିସ୍‌, ୬।୯-ଢେଙ୍କାନାଳରେ ଡେଙ୍ଗୁ ନେଇଛି ଜୀବନ। ପୌରାଞ୍ଚଳର ୯ନଂ. ଓ୍ବାର୍ଡ କଣ୍ଟାନାଳୀ ବାଇପାସ୍‌ ଛକ ଅଞ୍ଚଳରେ ରହୁଥିବା ଗୋକୁଳ ସେଠୀଙ୍କ ଝିଅ ପୂଜାରାଣୀଙ୍କ ବୁଧବାର ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ନର୍ସି ହୋମ୍‌ରେ ମୃତ୍ୟୁ ହୋଇଛି। ଏହାକୁ ଚଳିତବର୍ଷ ଜିଲାର ପ୍ରଥମ ଡେଙ୍ଗୁ ମୃତ୍ୟୁ ବୋଲି କୁହାଯାଉଛି। ସକାଳେ ପୂଜାରାଣୀଙ୍କ ମୃତଦେହ ଘରେ ପହଞ୍ଚତ୍ବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସଦର ଥାନା ଗୋବିନ୍ଦପ୍ରସାଦ ଗ୍ରାମରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଯୁକ୍ତ ୨ ପ୍ରଥମବର୍ଷ କଳାରେ ପାଠ ପଢୁଥିବା ପୂଜାରାଣୀ କିଛିଦିନ ତଳେ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ କଣ୍ଟାନାଳୀ ବାଇପାସ୍‌ ନିକଟ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ସମସ୍ତ ପରୀକ୍ଷା ପରେ ମଧ୍ୟ ରୋଗର କାରଣ ଜଣାପଡ଼ି ନ ଥିଲା। କ୍ରମଶଃ ଛାତ୍ରୀଜଣକ ଗୁରୁତର ହେବାରୁ ତାଙ୍କୁ କଟକସ୍ଥିତ ଏକ ଘରୋଇ ନର୍ସି ହୋମ୍‌କୁ ସ୍ଥାନାନ୍ତର କରାଯାଇଥିଲା। ପରୀକ୍ଷାରେ ତାଙ୍କ ରକ୍ତରୁ ଡେଙ୍ଗୁ ପଜିଟିଭ୍‌ ବାହାରିଥିଲା। ଗୋକୁଳ କଣ୍ଟାନାଳୀ ବାଇପାସ୍‌ ଛକରେ ଏକ ଲଣ୍ଡ୍ରି ଦୋକାନ କରି ପରିବାର ପୋଷୁଛନ୍ତି। ଘରୋଇ ଚିକିତ୍ସାଳୟରେ ବିପୁଳ ଅର୍ଥ ବ୍ୟୟ କରିବା ସତ୍ତ୍ୱେ ସେ ଝିଅ ଜୀବନ ବଞ୍ଚାଇ ପାରି ନ ଥିବା ସେ କହିଛନ୍ତି। ଝିଅ ଚିକିତ୍ସା ପାଇଁ ସେ ଜିଲାପାଳଙ୍କୁ ସହାୟତା ନିବେଦନ କରିଥିଲେ। ଜିଲାପାଳ ରେଡ୍‌କ୍ରସ୍‌ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ମଞ୍ଜୁର କରିଛନ୍ତି। ଏ ସଂକ୍ରାନ୍ତରେ ଜିଲା ମ୍ୟାଲେରିଆ ଅଧିକାରୀ ଡା. ବାସୁଦେବ ବେହେରା କୁହନ୍ତି, ଝିଅଟିର ମୃତ୍ୟୁ କଟକର ଏକ ଘରୋଇ ଚିକିତ୍ସାଳୟରେ ମୃତ୍ୟୁ ହୋଇଥିବା ଶୁଣିବାକୁ ମିଳୁଛି। ସରକାରୀ ଭାବେ ଏ ନେଇ କୌଣସି ରିପୋର୍ଟ ହସ୍ତଗତ ହୋଇନାହିଁ। ଏ ସମ୍ପର୍କରେ ତଦନ୍ତ କରାଯିବ। ୬ ତାରିଖ ସୁଦ୍ଧା ରାଜ୍ୟରେ ୭୮୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ୩ଜଣଙ୍କ ମୃତ୍ୟୁ ହୋଇଛି। ଜିଲାରେ ୧୫ ଜଣ ରୋଗୀ ଚିହ୍ନଟ ହୋଇଥିବା ମ୍ୟାଲେରିଆ ଅଧିକାରୀ ସୂଚନା ଦେଇଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri