ଅନୁଗୋଳରେ ଚାଞ୍ଚଲ୍ୟ ଗେଷ୍ଟ ହାଉସ୍‌ରେ ଦେହ ବ୍ୟବସାୟ ଧରାପଡ଼ିଲେ ୩ ଯୁବତୀ, ୩ ଯୁବକ


ଅନୁଗୋଳ ଅଫିସ,୬।୯- ଅନୁଗୋଳ ରେଳଷ୍ଟେଶନ ରାସ୍ତାରେ ଥିବା ଏକ ଗେଷ୍ଟ ହାଉସ୍‌ରେ ଚାଲିଥିବା ସେକ୍ସ ର଼୍ୟାକେଟ୍‌କୁ ଧରିଛି ଅନୁଗୋଳ ଥାନା ପୋଲିସ। ବୁଧବାର ପୂର୍ବାହ୍ନରେ ଅନୁଗୋଳ ପୋଲିସର ଅଧିକାରୀମାନେ ଉକ୍ତ ଗେଷ୍ଟ ହାଉସ୍‌ ଉପରେ ଚଢ଼ାଉ କରି ଅସଂଯତ ଅବସ୍ଥାରେ ଥିବା ୩ଜଣ ଯୁବତୀ ଏବଂ ୩ଜଣ ଯୁବକଙ୍କୁ ଧରିଥିଲେ। ଯୁବକମାନେ ହେଲେ ଅନୁଗୋଳ ସହର ହୁଲୁରିସିଂହାର ସନ୍ତୋଷ ମହାପାତ୍ର(୨୫), ତାଳଚେରର ବିଶ୍ୱନାଥ ଗିରି(୨୨) ଏବଂ ଛେଣ୍ଡିପଦାର ମିଲନ୍‌ ପ୍ରଧାନ(୧୯)। ସେହିପରି ୩ ଯୁବତୀଙ୍କ ଘର ମଧ୍ୟ ଅନୁଗୋଳ ଜିଲାର ବିଭିନ୍ନ ଅଞ୍ଚଳରେ। ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି କଲେଜ ଛାତ୍ରୀ। ସମସ୍ତଙ୍କ ବୟସ ୨୦ରୁ ୨୫ ମଧ୍ୟରେ। ଦୀର୍ଘ ଦିନ ହେଲା ଏହି ଗେଷ୍ଟ ହାଉସ୍‌ରେ ସେକ୍ସ ର଼୍ୟାକେଟ୍‌ ଚାଲିଥିଲା ଓ ଘଣ୍ଟାକ ପାଇଁ ରୁମ୍‌ ଭଡ଼ା ହଜାରେ ଟଙ୍କା ଥିଲା ବୋଲି ପୋଲିସ କହିଛି। ଅନୁଗୋଳ ଥାନା ଆଇଆଇସି ସୁବାସ ସାହୁଙ୍କ କହିବାନୁଯାୟୀ, ଉକ୍ତ ଗେଷ୍ଟ ହାଉସ୍‌ରେ ସେକ୍ସ ର଼୍ୟାକେଟ୍‌ ଚାଲିଥିବା ନେଇ ସୂଚନା ମିଳିଥିଲା। ବରିଷ୍ଠ ପୋଲିସ ଅଧିକାରୀମାନେ ଅତର୍କିତ ସେଠାରେ ଚଢ଼ାଉ କରିଥିଲେ। ୩ଟି ପୃଥକ୍‌ କୋଠରିରୁ ୩ଜଣ ଯୁବତୀ ଏବଂ ୩ଜଣ ଯୁବକଙ୍କୁ ଅସଂଯତ ଅବସ୍ଥାରେ ଧରାଯାଇଥିଲା। ଏଥିସହ କେତେକ ଅଶ୍ଳୀଳ ସାମଗ୍ରୀ ଜବତ କରାଯାଇଥିଲା। ଏ ନେଇ ଥାନାରେ ନଂ. ୪୮୬/୧୭ରେ ଏକ ମାମଲା ରୁଜୁ କରାଯାଇଛି। ଗିରଫ ୩ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଯୁବତୀମାନଙ୍କ ଡାକ୍ତରୀ ମାଇନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ସେହିଭଳି ଉକ୍ତ ଗେଷ୍ଟ ହାଉସ୍‌ର ମାଲିକ ପିନାକି ଶଙ୍କର ସାହୁଙ୍କୁ ମଧ୍ୟ ଗିରଫ କରାଯାଇଥିବା ଆଇଆଇସି ସାହୁ ସୂଚନା ଦେଇଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଉକ୍ତ ଗେଷ୍ଟ ହାଉସ୍‌ରେ କିଛି ମାସ ହେଲା ସେକ୍ସ ର଼୍ୟାକେଟ୍‌ ଚାଲିଥିଲା। ପୂର୍ବରୁ ବାହାର ଅଞ୍ଚଳରୁ ଆସୁଥିବା ଲୋକଙ୍କୁ ରୁମ୍‌ ଭଡ଼ା ଆକାରରେ ଦିଆଯାଉଥିଲା। କ୍ରମଶଃ ବେପାର ମାନ୍ଦା ହେବା ପରେ ଏଠାରେ ସେକ୍ସ ର଼୍ୟାକେଟ୍‌ ଚଳାଯାଉଥିଲା। ପ୍ରତ୍ୟେକ ରୁମ୍‌ ପିଛା ଘଣ୍ଟାକ ପାଇଁ ଭଡ଼ା ଥିଲା ଏକ ହଜାର ଟଙ୍କା। ସହରର ଭିଡ଼ଠାରୁ ସାମାନ୍ୟ ଦୂରରେ ଏହି ଗେଷ୍ଟ ହାଉସ୍‌ ରହିଥିବା ଯୋଗୁ ସେକ୍ସ ର଼୍ୟାକେଟ୍‌ ଚଳାଇବା ସହଜ ହୋଇଥିଲା। କୌଣସି ଗ୍ରାହକ ଆସିଲେ, ସେମାନଙ୍କ ପରିଚୟପତ୍ର ରଖାଯାଉ ନ ଥିଲା ବୋଲି ଗେଷ୍ଟ ହାଉସ୍‌ର ଜଣେ କର୍ମଚାରୀ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ୨୦୧୫ ଡିସେମ୍ବର ୫ରେ ଅନୁଗୋଳ ସହର ମୈତ୍ରିନଗର ଠାରେ ଥିବା ଏକ ହୋଟେଲ୍‌ରୁ ମଧ୍ୟ ସେକ୍ସ ର଼୍ୟାକେଟ୍‌ ଧରାପଡ଼ିଥିଲା। ୪ଜଣ ଯୁବତୀ ଯୁବକଙ୍କୁ ପୋଲିସ ଧରିବା ପରେ ସହର ହୋଟେଲ୍‌ଗୁଡ଼ିକରେ ଚାଲିଥିବା ଦେହ ବେପାରର ପର୍ଦ୍ଦାଫାଶ୍‌ ହୋଇଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri