ବସ୍‌ ସମୟକୁ ନେଇ ବିବାଦ


ଅନୁଗୋଳ ଅଫିସ,୩।୯- ଅନୁଗୋଳ ସହରରୁ ବିଭିନ୍ନ ଅଞ୍ଚଳକୁ ବସ୍‌ ଚଳାଚଳ ନେଇ ବିବାଦ ବହୁ ପୁରୁଣା। ଅନେକ ସମୟରେ ଆଠମଲ୍ଲିକ ଏବଂ ଛେଣ୍ଡିପଦା ଅଞ୍ଚଳକୁ ଯାଉଥିବା ବସ୍‌ ସମୟକୁ ନେଇ ବିବାଦ ଦେଖାଦେଇଥାଏ। ହେଲେ କିଛି ଦିନ ହେଲା ଭୁବନେଶ୍ୱର ଏବଂ କଟକକୁ ଯାଉଥିବା ବସ୍‌ଗୁଡ଼ିକର ସମୟ ନେଇ ମଧ୍ୟ ବିବାଦ ମୁଣ୍ଡ ଟେକିଛି। ଏଭଳି ଏକ ଘଟଣାକୁ ନେଇ ଶନିବାର ବସ୍‌ଷ୍ଟାଣ୍ଡଠାରେ ଉତ୍ତେଜନା ଦେଖାଦେଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଅନୁଗୋଳ ବସ୍‌ଷ୍ଟାଣ୍ଡରୁ ସକାଳ ୮ଟା ୪୦ରେ ଭୁବନେଶ୍ୱରକୁ ଭାୟା ଢେଙ୍କାନାଳ ଦେଇ ଶ୍ରୀରାମ ବସ୍‌ ଛାଡ଼ୁଛି। ଠିକ୍‌ ଏହି ସମୟରେ ‘ବିଜୟା’ ବସ୍‌ ଭାୟା ଆଠଗଡ଼ ହୋଇ ଭୁବନେଶ୍ୱରକୁ ବାହାରୁଛି। ଗୋଟିଏ ସମୟରେ ସମାନ ଲକ୍ଷ୍ୟସ୍ଥଳକୁ ଦୁଇଟି ବସ୍‌ ବାହାରୁଥିବା ଯୋଗୁ ଯାତ୍ରୀଙ୍କୁ ନେଇ ଉଭୟ ବସ୍‌ କର୍ମଚାରୀଙ୍କ ମଧ୍ୟରେ ଟଣାଓଟରା ହେଉଛି। ଅନେକ ସମୟରେ ସେମାନେ ମୁହାଁମୁହିଁ ହେଉଛନ୍ତି। ଶନିବାର ଯାତ୍ରୀଙ୍କୁ ବସାଇବାକୁ ନେଇ ଦୁଇ ବସ୍‌ କର୍ମଚାରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପ୍ରଥମେ ଯୁକ୍ତିତର୍କ ଏବଂ ପରେ ଠେଲାପେଲା ଯାଏ କଥା ବଢ଼ିଥିଲା। ଏହାକୁ କେନ୍ଦ୍ରକରି ସକାଳ ୮ରୁ ୯ଟା ଯାଏ କଟକ ଏବଂ ଭୁବନେଶ୍ୱରକୁ ବସ୍‌ ଚଳାଚଳ ବନ୍ଦ ହୋଇଯାଇଥିଲା। ବିବାଦର ସମାଧାନ ପାଇଁ ଅନୁଗୋଳ ବସ୍‌ ମାଲିକ ସଂଘ ସଭାପତି ମାନସ ସାମଲ ଆଗକୁ ଆସିଥିଲେ। ସେ ଫୋନ୍‌ରେ ଉଭୟ ବସ୍‌ର ମାଲିକ, କଟକ ଏବଂ ଢେଙ୍କାନାଳ ବସ୍‌ ମାଲିକ ସଂଘ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ସମୟ ବିବାଦ ନେଇ ଏକ ବୈଠକ ଡକାଯିବାକୁ ସ୍ଥିର ହୋଇଥିଲା। ଯାତ୍ରୀମାନେ ଅସୁବିଧା ଭୋଗୁଥିବା ଯୋଗୁ ବସ୍‌ ଚଳାଚଳ ସ୍ବାଭାବିକ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହା ପରେ ବସ୍‌ ଚଳାଚଳ କରିଥିଲା। ଅପରାହ୍ନରେ ଅନୁଗୋଳ ବସ୍‌ ମାଲିକ ସଂଘ ସଭାପତି ସାମଲ, କଟକ ବସ୍‌ ମାଲିକ ସଂଘ ସମ୍ପାଦକ ତଥା କଟକ ମହାନଗର ନିଗମର ଡେପୁଟି ମେୟର ଅଜୟ ବାରିକ, ଶ୍ରୀରାମ୍‌ ବସ୍‌ ମାଲିକ ପ୍ରମୋଦ ମହାନ୍ତିଙ୍କ ସମେତ କଟକ, ଢେଙ୍କାନାଳ ଏବଂ ଅନୁଗୋଳର କେତେକ ବସ୍‌ ମାଲିକ ଏକ ବୈଠକରେ ଯୋଗଦେଇଥିଲେ। ବିଜୟା ବସ୍‌ ଭାୟା ଆଠଗଡ଼ ହୋଇ ଯାତାୟାତ କରୁଥିବା ଯୋଗୁ ସେ ମେନ୍‌ ଷ୍ଟାଣ୍ଡ ବଦଳରେ କଡ଼ରେ ଠିଆ ହେବ। ସେହିଭଳି ଶ୍ରୀରାମ ବସ୍‌ ପାଇଁ ମଧ୍ୟ ଏକ ସ୍ଥାନ ନିର୍ଦ୍ଧାରଣ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri