ଟ୍ରେନ୍‌ରୁ ଛାତ୍ର ନିଖୋଜ, ତାତିଲେ ଲୋକେ


ବଇଣ୍ଡା, ୧୯|୮(ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଜାମ୍ବୁନାଳୀ ପଞ୍ଚାୟତ ଖଣ୍ଡବର ଗ୍ରାମର ଛାତ୍ର ଶୋଭେନ କୁମାର ପ୍ରଧାନ(୨୦) ହୀରାଖଣ୍ଡ ଏକ୍ସପ୍ରେସ ଯୋଗେ ଦିଲ୍ଲୀ ଯାଉଥିବାବେଳେ ଗତ ଶନିବାର ବିଶାଖାପାଟଣାଠାରେ ନିଖୋଜ ହୋଇଯାଇଛନ୍ତି। ଏ ନେଇ ପରିବାର ପକ୍ଷରୁ ହଣ୍ଡପା ଥାନା ଓ ବଇଣ୍ଡା ରେଳ ବିଭାଗ ପୋଲିସ ନିକଟରେ ସୋମବାର ଅଭିଯୋଗ କରାଯାଇଥିଲା। ହେଲେ ଅଭିଯୋଗକୁ ୪ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ପଞ୍ଚାୟତବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏ ନେଇ ଅଞ୍ଚଳବାସୀ ଶୁକ୍ରବାର ସକାଳେ ବଇଣ୍ଡା ରେଳଷ୍ଟେଶନଠାରେ ତାଳଚେର-ସମ୍ବଲପୁର ରେଳପଥକୁ ୩ ଘଣ୍ଟା ଧରି ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଘଟଣାରୁ ଜଣାପଡିଛି, ଶୋଭେନ ଶନିବାର ଦିନ ୧୧ଟା ସମୟରେ ବଇଣ୍ଡା ରେଳଷ୍ଟେଶନରୁ ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନ୍‌ (ନଂ. ୧୮୫୦୭)ରେ ଦିଲ୍ଲୀ ଅଭିମୁଖେ ଯାଉଥିଲେ। ଦିଲ୍ଲୀରେ ତାଙ୍କ ଭଉଣୀଙ୍କ ଘରେ ରହିବା ପରେ ସୋମବାର ଏକ ବିଶ୍ୱ ବିଦ୍ୟାଳୟରେ ପୋଷ୍ଟ ଗ୍ରାଜୁଏଟ କୋର୍ସ ପାଇଁ ପ୍ରବେଶିକା ପରୀକ୍ଷା ଦେଇଥାନ୍ତେ। ହେଲେ ଟ୍ରେନରେ ଯାଉଥିବାବେଳେ ବିଶାଖାପାଟଣାଠାରୁ ସେ ନିଖୋଜ ହୋଇଯାଇଛନ୍ତି। ତାଙ୍କୁ କେହି ଅପହରଣ କରିନେଇଥିବା ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ତାଙ୍କ ମୋବାଇଲ ଫୋନ ସୁଇଚ ଅଫ୍‌ ରହିଥିବାରୁ ଯୋଗାଯୋଗ ହୋଇପାରୁନାହିଁ। ତେଣୁ ତୁରନ୍ତ ପୋଲିସ ଏ ଦିଗରେ ପଦକ୍ଷେପ ନେବା ଦାବିରେ ସକାଳ ୭ଟାରେ ରେଳରୋକୋ କରିଥିଲେ। ଫଳରେ ଷ୍ଟେଶନଠାରୁ ପ୍ରାୟ ୫ଶହ ମିଟର ଦୂରରେ ଭୁବନେଶ୍ୱର-ସମ୍ବଲପୁର ଇଣ୍ଟରସିଟି ଅଟକି ରହିଥିଲା। ଖବରପାଇ ହଣ୍ଡପା ଆଇଆଇସି ସୁନୀଲ କୁମାର କର, ବଇଣ୍ଡା ଫାଣ୍ଡି ଅଧିକାରୀ ଅମିୟ ଦାସ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଶୋଭେନଙ୍କୁ ଶୀଘ୍ର ସନ୍ଧାନ କରାଯିବା ବୋଲି ପ୍ରତିଶ୍ରୁତି ଦେବା ପରେ ରେଳରୋକୋ ହଟିଥିଲା। ପୋଲିସ ପ୍ରତିଶ୍ରୁତି ନ ରଖିଲେ ରେଳରୋକୋ ସହ ରାସ୍ତା ଅବରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri