ଦାରିଙ୍ଗବାଡି,୫।୧୧(ଅରୁଣ ସାହୁ) : କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳ କାଡଶପାଟା ଗ୍ରାମ ନିକଟ ଜଙ୍ଗଲରେ ବୁଧବାର ପୋଲିସର ବଡ଼ ଚଢ଼ାଉ। ଗୋପନ ସୂଚନା ମିଳିବା ପରେ ଡିଏସପି କନକ ମାଝୀଙ୍କ ନେତୃତ୍ୱରେ ଆଇଆଇସି ଜୟନ୍ତ କୁମାର ସେଠି, ଅବକାରୀ ବିଭାଗ କର୍ମଚାରୀ ଓ ଏକଜିକ୍ୟୁଟିଭ ମ୍ୟାଜିଷ୍ଟ୍ରେଟ ଦୁଃଶାସନ ସ୍ୱାଇଁଙ୍କ ଉପସ୍ଥିତିରେ ସାଲେଜୁ ଏବଂ କାଡଶପାଟା ଅଞ୍ଚଳରେ ପ୍ରାୟ ୪୦ ଏକର ଜମିରେ ଚାଷ ହୋଇଥିବା ଗଞ୍ଜେଇ ଗଛ କାଟି ନିଆଁ ଲଗାଇ ସମ୍ପୂର୍ଣ ନଷ୍ଟ କରାଯାଇଛି।
ଗଛଗୁଡ଼ିକର ଆନୁମାନିକ ବଜାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୋଲିସ ପ୍ରକାଶ କରିଛି। ସଶସ୍ତ୍ର ପୋଲିସ ବାହିନୀ ପଇଁତରା କରି ଅପରେସନକୁ ସୁରକ୍ଷିତ ରଖିଥିଲା।
ଡିଏସପି ମାଝୀ କହିଛନ୍ତି, ଦାରିଙ୍ଗବାଡି ଓ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଆହୁରି ଗଞ୍ଜେଇ ଚାଷ ହୋଇଥାଇପାରେ ବୋଲି ସନ୍ଦେହ। ତେଣୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ଏହି ଅଭିଯାନକୁ ପୋଲିସର ବଡ଼ ସଫଳତା ରୂପେ ଗଣାଯାଉଛି।


