ବାଙ୍କୀ,୫ା୧୧(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ ଥାନା ଅନ୍ତର୍ଗତ ଶିଶୁଆ ଗ୍ରାମରେ ବୁଧବାର ଘଟିଛି ଏକ ଅଭାବନୀୟ ଘଟଣା କାଣ୍ଡ। ଜ୍ବାଇଁଙ୍କ ଆକ୍ରମଣରେ ଶାଶୁ-ଶ୍ୱଶୁର ଏବଂ ସ୍ତ୍ରୀ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଅନ୍ୟପକ୍ଷରେ ଜ୍ବାଇଁଙ୍କୁ ବି ପୋଲିସ ଗିରଫ କରିଛି।
ସୂଚନା ଥାଉ କି, ବାଙ୍କୀ ଥାନା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଶିଶୁଆ ଗ୍ରାମର ଦାସଙ୍କ ଝିଅ ପୁଷ୍ପାଞ୍ଜଳି ୪ ବର୍ଷ ପୂର୍ବେ ସେହି ଗ୍ରାମର ନାରଣ ଦାସଙ୍କ ପୁଅ ସଂଜୀବଙ୍କୁ ପ୍ରେମ ବିବାହ କରିଥିଲେ। କୌଣସି କାରଣ ବଶତଃ ପୁଷ୍ପଲତା ଆଜକୁ ଦୁଇ ବର୍ଷ ଧରି ବାପ ଘରେ ରହୁଥିଲେ। ଆଜି ପବିତ୍ର ଧର୍ମମାସ କାର୍ତ୍ତିକ ପୂର୍ଣ୍ଣିମା ଦିବସରେ ଜ୍ବାଇଁ ସଂଜୀବ ଶ୍ୱଶୁର ଘରକୁ ଆସିଥିଲେ। ଶ୍ୱଶୁର ଘରେ ସଂଜୀବ ଓ ତାଙ୍କ ସ୍ତ୍ରୀ, ଶାଶୁ-ଶ୍ୱଶୁରଙ୍କ ସହିତ ବଚସା ହୋଇଥଲା। ସଂଜୀବ ରାଗିଯାଇ ଘରେ ଥିବା କଟୁରି ଧରି ମାରିବାକୁ ଧମକାଇଥିଲେ। ଶ୍ୱଶୁର ଘରେ ଏଭଳି ଘଟଣା କିଛି ନ କରିବାକୁ ବିରୋଧ କରିବା ପରେ ସଂଜୀବ ଉତ୍କ୍ଷିପ୍ତ ହୋଇ ସ୍ତ୍ରୀ ପୁଷ୍ପଲତାଙ୍କ ମୁଣ୍ଡକୁ କଟୁରିରେ ହାଣିଦେଇଥିଲେ। ଶାଶୁ ଓ ଶ୍ୱଶୁର ବିରୋଧ କରିବାରୁ ତାଙ୍କୁ ମଧ୍ୟ କଟୁରିରେ ହାଣିବା ଦ୍ୱାରା ଶ୍ୱଶୁର ଚନ୍ଦ୍ରମଣିଙ୍କ ହାତର ଦୁଇଟି ଆଙ୍ଗୁଠି କଟିଯାଇଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରଥମେ ବାଙ୍କୀ ଉପଖଣ୍ଡ ଚକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ବାଙ୍କୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିବା ସହିତ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ଜ୍ବାଇଁ ସଂଜୀବଙ୍କୁ ଗିରଫ କରି ଥାନାରେ ଅଟକ ରଖାଯାଇଛି।


