ଦିଗପହଣ୍ଡି,୩୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ପଞ୍ଚାୟତ ମଣିପୁର ଗ୍ରାମ ଡୁମାଖାଳି ହରିଜନ ସାହିର ଦାଦନ ଶ୍ରମିକ ଅଜୟ ନାୟକ(୨୦)ଙ୍କ ତାମିଲନାଡୁର କନ୍ୟାକୁମାରୀରେ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ବୁଧବାର ବିଳମ୍ବିତ ରାତିରେ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି।
ଖବରପାଇ ଗୁରୁବାର ସାନଖେମୁଣ୍ଡି ବିଡ଼ିଓ ଜିତେନ୍ଦ୍ର ମିଶ୍ର, ସରପଞ୍ଚ ସୀମାଞ୍ଚଳ ପ୍ରଧାନ ବାସଭବନରେ ପହଞ୍ଚି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ରେଡକ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶିର ଚେକ ଏବଂ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା ପ୍ରଦାନ କରି କରିଥିଲେ।
ସୂଚନା ଯୋଗ୍ୟ, ଅଜୟ ଏକ ଦିଆସିଲି କାରଖାନାରେ କାମ କରୁଥିଲେ। ସେ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ଗତ ୪ ଦିନ ହେଲା ସେ ଏକ ମେଡ଼ିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ଏପରିକି ରବିବାର ଘରକୁ ଫୋନ କରି ଚିକିତ୍ସା ପାଇଁ ୧ ହଜାର ଟଙ୍କା ପଠାଇବାକୁ ମା’ଙ୍କୁ କହିଥିଲେ। ହେଲେ ସାରେ ପୁଅ ଅଜୟଙ୍କ ମୃତ୍ୟୁ ଘଟିଥିବା ନେଇ ମେଡିକାଲ କର୍ତ୍ତୃପକ୍ଷ ମା’ଙ୍କୁ ଫୋନ କରି ଜଣାଇଥିଲେ। ଏନେଇ ଅଜୟଙ୍କ ମା’ ସ୍ଥାନୀୟ ସରପଞ୍ଚ ସୀମାଞ୍ଚଳ ପ୍ରଧାନଙ୍କୁ ଜଣାଇଥିଲେ।
ସରପଞ୍ଚ ଏନେଇ ଗଞ୍ଜାମ ଜିଲା ଶ୍ରମ ଅଧିକାରୀଙ୍କୁ ସୂଚନା ଦେବା ସହ ମୃତଦେହ ଗାଁକୁ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ। ପରେ ଜିଲା ଶ୍ରମ ବିଭାଗ ଅଧିକାରୀ ଏବଂ ପୋଲିସ ସହାୟତାରେ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ଗାଁକୁ ଅଣାଯାଇଥିଲା।
ଅଜୟ ବାପାଙ୍କ ମୃତ୍ୟୁ ପରେ ମା’ ଏବଂ ଭଉଣୀଙ୍କ ସହ ଗାଁ ରେ ରହୁଥିଲେ। ଦାଦନ ଖଟି ଦୁଇ ପଇସା ରୋଜଗାର କରି ପରିବାର ଚଳାଇବା ଚିନ୍ତାରେ ସେ ଜଣେ ଦାଦନ ସର୍ଦ୍ଦାରଙ୍କ ସହ ତାମିଲନାଡୁର କନ୍ୟାକୁମାରୀ ଯାଇ ସେଠାକାର ଏକ ଦିଆସିଲି କାରଖାନାରେ ସ୍ବଳ୍ପ ମଜୁରୀରେ କାମ କରୁଥିଲେ ବୋଲି ତାଙ୍କ ଭଉଣୀ ବନିତା କହିଛନ୍ତି। ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାର ଲୋକଙ୍କୁ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।


