ଆନନ୍ଦପୁର,୩୦ା୧୦(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ବୈତରଣୀ ନଦୀରେ କରଗୋଳା ଗ୍ରାମବାସୀଙ୍କ ଦ୍ୱାରା ଚାଲିଥିବା ବାଲି ସତ୍ୟାଗ୍ରହ ଷଷ୍ଠ ଦିନରେ ପହଞ୍ଚିଛି। ପ୍ରବଳ ବର୍ଷା, ପବନ ସତ୍ତ୍ୱେ ଶତାଧିକ ସତ୍ୟାଗ୍ରହୀ ଛତା ଧରି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଦୁର୍ନୀତି ବିରୋଧୀ ପ୍ରଗତିଶୀଳ ମଞ୍ଚର ଆବାହକ ଯଜ୍ଞ ପ୍ରସାଦ ସାହୁ ସତ୍ୟାଗ୍ରହର ନେତୃତ୍ୱ ନେଇ ବାଲି ମାଫିଆଙ୍କ ବିରୋଧରେ ବିଶୋଦଗାର କରିଥିଲେ।
ଦୁର୍ନୀତି ବିରୋଧୀ ପ୍ରଗତିଶୀଳ ମଞ୍ଚର ଆବାହକ ଯଜ୍ଞ ପ୍ରସାଦ ଅଭିଭାଷଣରେ କହିଥିଲେ, ବେଆଇନ ଘାଟରେ ନିୟୋଜିତ ବଡ଼ ମେଶିନକୁ ଜବତ କରାଯାଉ। ଲୁଟ୍ ହୋଇଥିବା ବାଲି ପରିମାଣକୁ ମାପା ଯାଇ ଜରିମାନା ଆଦାୟ, ଚୋରା ବାଲି ବ୍ୟବସାୟୀ ଓ ତାଙ୍କ ସହଯୋଗୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ସେ ଦାବି କରିଛନ୍ତି। ବିଭିନ୍ନ ସ୍ଥାନରେ ବେଆଇନ ଘାଟ ପାଇଁ କଟାଯାଇଥିବା ଗଛ ବାବଦ କ୍ଷୟକ୍ଷତି ଆକଳନ କରିବାକୁ ମଧ୍ୟ କହିଛନ୍ତି। ସେହିପରି ସଂରକ୍ଷିତ ଜଙ୍ଗଲ ମଧ୍ୟରେ କୁମଡ଼ ଘାଟ ବେଆଇନ ଭାବେ ଚାଲିବା ଯୋଗୁ ଠେକୁଆ, ଝିଙ୍କ ଆଦି ବନ୍ୟପ୍ରାଣୀ ପ୍ରଭାବିତ ହେଉଛନ୍ତି। ବନ ବିଭାଗ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି କହିଥିଲେ। ସତ୍ୟାଗ୍ରହରେ ପୂର୍ବତନ ସରପଞ୍ଚ ଗୋପାଳ ସେଠୀ, ସତ୍ୟବ୍ରତ ଜେନା, ଆଲୋକ ବେହେରା, ବିଜୟ ସାହୁ, ସୁଲି ଜେନା, ଅହଲ୍ୟା ସାହୁ, ରିତାଞ୍ଜଳି ସାହୁ, କ୍ଷୀରୋଦ ସାହୁ, ନୀଳମଣି ଜେନା, ନରହରି ଜେନାଙ୍କ ସମେତ ୩ଶହରୁ ଅଧିକ ସତ୍ୟଗ୍ରହୀ ସାମିଲ ହୋଇଥିଲେ। ଉପଜିଲାପାଳ ନୀଳମାଧବ ସୁନା ସତ୍ୟାଗ୍ରହୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ନିଷ୍କର୍ଷ ବାହାରିପାରିନାହିଁ।
Dharitri – Odisha’s No.1 Trusted Odia Daily


