Posted inଜାତୀୟ

ଏନ୍‌ଡିଏକୁ ବହୁମତ

ନୂଆଦିଲ୍ଲୀ,୨୦।୫(ଆଇଏଏନ୍‌ଏସ୍‌): ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ପୁଣିଥରେ କେନ୍ଦ୍ରରେ ସରକାର ଗଠନ କରିବାକୁ ଯାଉଛି। ଏହି କ୍ଷମତାସୀନ ମେଣ୍ଟକୁ ପ୍ରାୟ ୨୯୬ ଆସନରେ ସଫଳତା ମିଳିବ ଏବଂ କଂଗ୍ରେସ ନେତୃତ୍ୱାଧୀନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା)କୁ ୧୨୭ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିବ। ସେହିପରି ଉଭୟ ମେଣ୍ଟରେ ସାମିଲ ନ ଥିବା ଆଞ୍ଚଳିକ ଦଳ ଓ ସ୍ବାଧୀନ ପ୍ରାର୍ଥୀମାନେ ୧୧୯ ଆସନ ଦଖଲ କରିବାରେ ସକ୍ଷମ ହେବେ ବୋଲି ରବିବାର ଅଧିକାଂଶ ଏକ୍‌ଜିଟ୍‌ ପୋଲ ଭବିଷ୍ୟବାଣୀ କରିଛନ୍ତି। ଭୋଟ ହାରକୁ ଦେଖିଲେ ମୋଟାମୋଟି ଭାବେ ଏନ୍‌ଡିଏକୁ ୪୨.୩%, ଉପାକୁ ୨୯.୬% ଏବଂ ଅନ୍ୟଙ୍କୁ ୨୮.୧% ମିଳିବ ବୋଲି ଆକଳନ କରାଯାଇଛି। ଏକ୍‌ଜିଟ୍‌ ପୋଲକୁ କଂଗ୍ରେସ ହାସ୍ୟାସ୍ପଦ ବୋଲି ଅଭିହିତ କରିଥିବାବେଳେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ଏହା ବିଶ୍ୱାସଯୋଗ୍ୟ ନୁହେଁ ବୋଲି କହିଛନ୍ତି। ତେବେ କେଉଁ ସର୍ବେକ୍ଷଣ ସଂସ୍ଥାର ଆକଳନ କେତେ ସତ ତାହା ଗୁରୁବାର ଭୋଟ ଗଣତି ପରେ ସ୍ପଷ୍ଟ ହେବ।
୨୦୧୯ ସାଧାରଣ ନିର୍ବାଚନ ରବିବାର ସନ୍ଧ୍ୟା ୬ଟାରେ ଶେଷ ହେବା ପରେ ଏକ୍‌ଜିଟ୍‌ ପୋଲକୁ ନେଇ ନିର୍ବାଚନ କମିଶନଙ୍କ କଟକଣା ଉଠିଛି। ଭାରତରେ କିଏ ସରକାର ଗଠନ କରିବ ତାକୁ ନେଇ ବିଭିନ୍ନ ସର୍ବେକ୍ଷଣ ସଂସ୍ଥା ଓ ଜାତୀୟ ଗଣମାଧ୍ୟମ ପକ୍ଷରୁ ପ୍ରକାଶ ପାଇଛି ବୁଥ୍‌ ଫେରନ୍ତା ମତଦାତାଙ୍କଠାରୁ ସଂଗୃହୀତ ତଥ୍ୟର ସାମଗ୍ରିକ ଆକଳନ। ଏକ୍‌ଜିଟ୍‌ ପୋଲଗୁଡ଼ିକ ପକ୍ଷରୁ କରାଯାଇଥିବା ଆକଳନ ଅନୁସାରେ କେନ୍ଦ୍ରରେ ଏନ୍‌ଡିଏ ପୁଣିଥରେ କ୍ଷମତାସୀନ ହେବାକୁ ଯାଉଛି। ଭିଏମ୍‌ଆର୍‌-ଟାଇମ୍ସ ନାଓର ସର୍ଭେ ଅନୁସାରେ ଏନ୍‌ଡିଏକୁ ୩୦୬, ଉପାକୁ ୧୩୨ ଓ ଅନ୍ୟ ଦଳଗୁଡ଼ିକୁ ୧୦୪ ଆସନରେ ସଫଳତା ମିଳିବ। ସେହିପରି ସିଭୋଟର-ରିପବ୍ଲିକ୍‌ ଏକ୍‌ଜିଟ୍‌ ପୋଲର ଆକଳନ ଅନୁଯାୟୀ ଏନ୍‌ଡିଏ ୨୮୭ ଏବଂ ଉପା ୧୨୮ ଆସନ ଦଖଲ କରିବାରେ ସକ୍ଷମ ହେବେ। ଅନ୍ୟ ଦଳଗୁଡ଼ିକୁ ୧୨୭ ଆସନରେ ସଫଳତା ମିଳିବ। ଜନ୍‌ କୀ ବାତ୍‌ ସଂସ୍ଥାର ଆକଳନ ହେଉଛି ଏନ୍‌ଡିଏ ୩୦୫ ଆସନ ଦଖଲ କରି ପୂର୍ଣ୍ଣ ବହୁମତ ପାଇବାକୁ ଥିବାବେଳେ ଉପା ହାତକୁ ୧୨୪ ଆସନ ଯିବ ଏବଂ ଅନ୍ୟ ଦଳଗୁଡ଼ିକ ୧୧୩ ଆସନରେ ସଫଳ ହେବେ। ଅନ୍ୟପକ୍ଷରେ ଏନ୍‌ଡିଏ ୨୮୬, ଉପା ୧୨୨ ଏବଂ ଅନ୍ୟ ଦଳଗୁଡ଼ିକ ୧୩୪ ଆସନରେ ବିଜୟୀ ହେବେ ବୋଲି ନ୍ୟୁଜ୍‌ ନେଶନ୍‌ ପୂର୍ବାନୁମାନ କରିଛି। ଅନ୍ୟତମ ପ୍ରମୁଖ ସର୍ବେକ୍ଷଣ ସଂସ୍ଥା ଚାଣକ୍ୟ-ନ୍ୟୁଜ୍‌ ୨୪ ଅନୁସାରେ ଏନ୍‌ଡିଏ ୩୫୦ ଆସନରେ ସଫଳତା ହାସଲ କରିବାକୁ ଥିବାବେଳେ ଉପା ୯୫ ଓ ଅନ୍ୟ ଦଳଗୁଡ଼ିକ ୯୭ ଆସନରେ ବିଜୟୀ ହେବେ। ଇଣ୍ଡିଆ ଟୁଡେ-ଆଜ୍‌ତକ୍‌ ଅନୁସାରେ ଏନ୍‌ଡିଏ ୩୩୯-୩୬୫ ଆସନରେ ବିପୁଳ ସଫଳତା ସହ ସରକାର ଗଠନ କରିବ। ଉପା ୭୭ରୁ ୧୦୮ ଆସନରେ ସନ୍ତୁଷ୍ଟ ହେବ ଓ ଅନ୍ୟ ଦଳଗୁଡ଼ିକ ୬୯-୯୫ ଆସନରେ ବିଜୟୀ ହେବେ। ଅନ୍ୟପକ୍ଷରେ ଏନ୍‌ଡିଏ ୨୪୨ ଆସନରେ ସଫଳତା ହାସଲ କରିବ ଏବଂ ମ୍ୟାଜିକ୍‌ ନମ୍ବର ଛୁଇଁବା ପାଇଁ ୩୦ ଆସନ ନିଅଣ୍ଟ ହେବ ବୋଲି ନେତା-ନ୍ୟୁଜ୍‌ ଏକ୍ସ ପକ୍ଷରୁ ଆକଳନ କରାଯାଇଛି। ଏହି ସର୍ବେକ୍ଷଣ ସଂସ୍ଥା ଅନୁସାରେ ଉପା ହାତକୁ ୧୬୪ ଆସନ ଯିବ। ଏବିପି-ନେଲସନ୍‌ ମଧ୍ୟ ଅନୁରୂପ ଆଶଙ୍କା ବ୍ୟକ୍ତ କରିଛି। ଏନ୍‌ଡିଏ ୨୬୭, ଉପା ୧୨୭ ଓ ଅନ୍ୟାନ୍ୟ ୧୪୮ ଆସନ ପାଇବେ
ଏନ୍‌ଡିଏକୁ…
ବୋଲି ଏହି ସଂସ୍ଥା କହିଛି। ନ୍ୟୁଜ୍‌ ୧୮ ଅନୁସାରେ ଏନ୍‌ଡିଏ ୨୯୨-୩୧୨ ଏବଂ ଉପା ୬୨-୭୨ ଆସନ ପାଇବ। ସିଭୋଟର-ଆଇଏଏନ୍‌ଏସ୍‌ ଅନୁଯାୟୀ ଭାଜପା ୨୩୬ ଆସନରେ ବିଜୟୀ ହେବ କିନ୍ତୁ ଏକାକୀ ସରକାର ଗଠନ କରିପାରିବ ନାହିଁ। ଏନ୍‌ଡିଏ ୨୮୭ ଆସନରେ ସଫଳତା ସହ ସଂଖ୍ୟାଗରିଷ୍ଠତା ହାସଲ କରିବ। ସେହିପରି ୨୦୧୪ରେ ୪୪ ଆସନ ପାଇଥିବା କଂଗ୍ରେସ ଏଥର ୮୦ ଆସନରେ ବିଜୟୀ ହେବ। ଉପା ପୂର୍ବରୁ ୫୯ ଆସନ ଦଖଲ କରିଥିବାବେଳେ ଏଥର ୧୨୮ଟି ହାସଲ କରିପାରେ ବୋଲି ସିଭୋଟର-ଆଇଏଏନ୍‌ଏସ୍‌ କହିଛି। ଏହି ଏକ୍‌ଜିଟ୍‌ ପୋଲର ଆକଳନ ଅନୁସାରେ ବିପିଏଫ୍‌ ୧, ଜେଡିୟୁ+ଏଲ୍‌ଜେପି ୨୦, ଶିବସେନା ୧୫, ଏନ୍‌ପିପି ୧, ଏନ୍‌ଡିପିପି ୧, ଶିରୋମଣି ଅକାଳି ଦଳ ୧, ଏପିପିଏମ୍‌ ୧, ଏଆଇଏଡିଏମ୍‌କେ+ ୧୦ ଏବଂ ଅପ୍‌ନା ଦଳ ଗୋଟିଏ ଆସନ ପାଇବେ। ସେହିପରି ସବୁଠୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଉତ୍ତରପ୍ରଦେଶରେ ଭାଜପା କ୍ଷତିଗ୍ରସ୍ତ ହେବ। ଏଠାରେ ଗୈରିକ ଦଳକୁ ୪୦ ଆସନ ଦଖଲ କରିବା କଷ୍ଟକର ହୋଇପଡ଼ିବ। ସମାଜବାଦୀ ପାର୍ଟି (ଏସ୍‌ପି), ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଏବଂ ରାଷ୍ଟ୍ରୀୟ ଲୋକଦଳ (ଆର୍‌ଏଲ୍‌ଡି) ମେଣ୍ଟ ୪୦ ଆସନ ପାଇବ ଓ ଭାଜପା ୩୮କୁ ଖସିଯିବ। ପ୍ରକାଶ ଯେ, ୨୦୧୪ ସାଧାରଣ ନିର୍ବାଚନରେ ଭାଜପା ଏବଂ ଏହାର ସହଯୋଗୀ ଅପ୍‌ନା ଦଳ ୟୁପିର ୮୦ ଆସନରୁ ୭୧ଟିରେ ବିଜୟୀ ହୋଇଥିଲେ।
ସୂଚନାଯୋଗ୍ୟ, ୨୦୧୪ ସାଧାରଣ ନିର୍ବାଚନରେ ୫୪୩ ଆସନ ମଧ୍ୟରୁ ଭାଜପା ୨୮୩ (କୁହୁକ ସଂଖ୍ୟା ୨୭୨ଠାରୁ ୧୧ ଅଧିକ) ଆସନ ଦଖଲ କରି ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଥିଲା। ୩ ଦଶନ୍ଧି ମଧ୍ୟରେ କୌଣସି ଦଳକୁ ଏତେସଂଖ୍ୟକ ଆସନରେ ସଫଳତା ମିଳି ନ ଥିଲା। ସେହିପରି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)କୁ ୩୩୭ ଆସନରେ ସଫଳତା ମିଳିଥିଲା। ବିରୋଧୀ କଂଗ୍ରେସକୁ ମାତ୍ର ୪୪ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ୨୦୧୯ ସାଧାରଣ ନିର୍ବାଚନ ୭ଟି ପର୍ଯ୍ୟାୟରେ ହୋଇଥିଲା। ଏପ୍ରିଲ ୧୧ ପ୍ରଥମ ପର୍ଯ୍ୟାୟରେ ୨୦ ରାଜ୍ୟର ୯୧ ଆସନରେ ଭୋଟଗ୍ରହଣ କରାଯାଇଥିଲା। ଏପ୍ରିଲ ୧୮ ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟର ୯୭ ଆସନରେ ମତଦାନ ହୋଇଥିବାବେଳେ ୨୩ ତାରିଖରେ ତୃତୀୟ ପର୍ଯ୍ୟାୟରେ ୧୪ ରାଜ୍ୟର ୧୧୫ ଲୋକ ସଭା ଆସନରେ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ। ଏପ୍ରିଲ ୨୯ରେ ୯ ରାଜ୍ୟର ୭୧ ଆସନ ପାଇଁ ଚତୁର୍ଥ ପର୍ଯ୍ୟାୟ ଭୋଟଗ୍ରହଣ କରାଯାଇଥିଲା। ସେହିପରି ମେ ୬ରେ ପଞ୍ଚମ ପର୍ଯ୍ୟାୟରେ ୭ ରାଜ୍ୟର ୫୧ ଆସନରେ ମତଦାନ ହୋଇଥିଲା। ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ମେ ୧୨ରେ ଅନୁଷ୍ଠିତ ହୋଇଥିଲା। ଏହି ପର୍ଯ୍ୟାୟରେ ୭ ରାଜ୍ୟର ୫୯ ଆସନରେ ଭୋଟ ହୋଇଥିଲା। ସପ୍ତମ ତଥା ଶେଷ ପର୍ଯ୍ୟାୟରେ ୮ ରାଜ୍ୟର ୫୯ ଆସନରେ ମତଦାନ କରାଯାଇଥିଲା। ତାମିଲନାଡୁର ଭେଲୋର ଆସନରେ ଭୋଟଗ୍ରହଣ କରାଯାଇନାହିଁ। ସମସ୍ତ ୫୪୨ ଆସନ ପାଇଁ ଗୁରୁବାର ଭୋଟ ଗଣତି କରାଯିବ।


All Right Reserved By

ବାବରି ମସଜିଦ୍‌ ପ୍ରସଙ୍ଗରେ ପ୍ରଜ୍ଞା ଦେଲେ ବିବାଦୀୟ ମନ୍ତବ୍ୟ: ପୁଣି ଇସି ଜାରି କଲେ ନୋଟିସ୍‌

ଭୋପାଳ, ୨୧।୪: ମାଲେଗାଓଁ ବିସ୍ଫୋରଣ ଅଭିଯୁକ୍ତ ତଥା ଭୋପାଳରୁ ଭାଜପାର ଲୋକ ସଭା ପ୍ରାର୍ଥୀ ହୋଇଥିବା ସ୍ବାଧୀ ପ୍ରଜ୍ଞା ସିଂ ଠାକୁର ବାବରି ମସଜିଦ୍‌ ସମ୍ପର୍କରେ...

୧୮ବର୍ଷ ପରେ ପିତାଙ୍କ ଋଣ ଶୁଝିଲେ ପୁଅ

ଜୟପୁର, ୧୦।୬: ରାଜସ୍ଥାନର ହନୁମାନଗଡ ଜିଲାରେ ଜଣେ ଯୁବକ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ମୃତ ପିତାଙ୍କ ୧୮ ବର୍ଷ ପୁରୁଣା ୫୫ ଲକ୍ଷ...

ନୀତୀଶଙ୍କ ମନ୍ତ୍ରିମଣ୍ଡଳର ହେବ ସମ୍ପ୍ରସାରଣ: ସାମିଲ ହେବେନି କେହି ଭାଜପା ନେତା

ପାଟନା,୨।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ରବିବାର କରାଯିବ। ହେଲେ ଏଥିରେ କେହି ଭାଜପା ନେତା ସାମିଲ ହେବେ ନାହିଁ ବୋଲି ସୂଚନା...

ଶୋପିଆନ୍‌ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୩ ହିଜବୁଲ୍‌ ଆତଙ୍କବାଦୀ ନିହତ

ଶ୍ରୀନଗର,୨୮।୩: ଜମ୍ମୁ-କଶ୍ମୀର ଶୋପିଆନ୍‌ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଗୁରୁବାର ୩ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ଆତଙ୍କବାଦୀମାନେ ହେଉଛନ୍ତି ଆକିବ୍‌ ଅହମ୍ମଦ, ବଶରତ୍‌ ଅହମ୍ମଦ...

କେଜରିଓ୍ବାଲ, ସିସୋଦିଆଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୧୬।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ଜାମିନ ମିଳିଛି। ଦିଲ୍ଲୀର ଏକ ସ୍ବତନ୍ତ୍ର କୋର୍ଟ ମଙ୍ଗଳବାର ଏମାନଙ୍କୁ ଜାମିନ...

ନିର୍ବାଚନ ଫଳାଫଳ ଘୋଷଣାକୁ ପୂରିଲା ମାସେ: ଭାଜପା ୨୦୨୪ ପାଇଁ କରୁଛି ଯୋଜନା; କଂଗ୍ରେସ ଅଧ୍ୟକ୍ଷ ପଦ ଏବଂ ମନ୍ଥନରେ ବ୍ୟସ୍ତ

ନୂଆଦିଲ୍ଲୀ, ୨୩।୬: ଲୋକ ସଭା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ଭାଜପା ନେତୃତ୍ୱରେ କେନ୍ଦ୍ରରେ ସରକାର ଗଠନ ହୋଇଛି। ମେ ୨୩ରେ ଫଳାଫଳ ପ୍ରକାଶ...

ଚାଷୀଙ୍କୁ ବାକିରେ ମିଳିବ ପେଟ୍ରୋଲ, ଡିଜେଲ୍‌: ଫସଲ ଅମଳ ପରେ ହେବ ଟଙ୍କା ପୈଠ

ଚଣ୍ଡିଗଡ଼,୩୦।୫: ପଞ୍ଜାବ ସରକାର ଚାଷୀଙ୍କ ପାଇଁ ଆଣିଛନ୍ତି ନୂଆ ଯୋଜନା। ଏହି ଯୋଜନାରେ ଚାଷୀଙ୍କୁ ବାକିରେ ଆବଶ୍ୟକ ପେଟ୍ରୋଲ ଓ ଡିଜେଲ ଯୋଗାଇ ଦିଆଯିବ। ଫସଲ...

ଅମେଠିରେ ‘ନ୍ୟାୟ’ ବ୍ୟାନର: ରାହୁଲଙ୍କୁ ଇସି ନୋଟିସ

ଭୋପାଳ,୨୦ା୪(ପି.ଟି.): ଅମେଠିରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ନିର୍ବାଚନ କମିଶନ (ଇସି) କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କରିଛନ୍ତି। ସ୍ଥାନୀୟ ନିର୍ବାଚନ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *