ଅମରପାଲି,୭।୧୦(ପିତାମ୍ବର ସାହୁ): ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ଲୁତୁରପଙ୍କ – ଭୁତିଆପାଲି ମଝିରେ ଯାଇଥିବା ଘୁଙ୍ଗିଯୋର ପୋଲ ଉପରେ ମଙ୍ଗଳାବର ୪ ଫୁଟ୍ର ବନ୍ୟା ଜଳ ପ୍ରବାହିତ ହେଉଛି। ମଙ୍ଗଳବାର ସକାଳୁ ବର୍ଷା ଲାଗି ରହିବା ଫଳରେ ପୋଲ ଉପରେ ପ୍ରାୟ ଚାରି ଫୁଟ୍ର ବନ୍ୟାଜଳ ପ୍ରବାହିତ ହୋଇଛି। ଫଳରେ ବୀରମହାରାଜପୁରରୁ ଅମରପାଲିକୁ ଯାତାୟାତରେ ବ୍ୟାଘାତ ସୃଷ୍ଟି ହୋଇଛି। କୌଣସି ଗାଡ଼ି ମଟର ଯିବା ଆସିବା କରିପାରୁନାହିଁ। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଉଛନ୍ତି। ବନ୍ୟାପାଣି ପ୍ରବାହିତ ଫଳରେ ବ୍ଲକର ଲୁତୁରପଙ୍କ, ବହଳପଦର, ଦୁର୍ଜନତୈଲା ପଞ୍ଚାୟତର ସମେତ ରେଢାଖୋଲ ବ୍ଲକର ବୀରମହାରାଜପୁର ଉପରେ ନିର୍ଭର କରୁଥିବା ପ୍ରାୟ ୫୦ରୁ ଉଦ୍ଧର୍ବ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏହି ରାସ୍ତା ଏକ ବ୍ୟସ୍ତବହୁଳ ରାସ୍ତା ଅଟେ। ଏହି ରାସ୍ତା ଦେଇ ବୀରମହାରାଜପୁରରୁ ଅମରପାଲି – ଯୁଯୁମୁରା ଦେଇ ସମ୍ବଲପୁର, ଚାରମାଳ ଦେଇ ରେଢାଖୋଲକୁ ସଂଯୋଗ କରୁଥିବାରୁ ପ୍ରତ୍ୟହ ହଜାର ହଜାର ସଂଖ୍ୟକ ଲୋକ ଯିବା ଆସିବା କରିଥାନ୍ତି। ସୂଚନା ଅନୁସାରେ, ବୀରମହାରାଜପୁରରୁ ରେଢାଖୋଲ ନିର୍ବାଚନମଣ୍ଡଳୀର ମୋଚିବାହାଲରେ ୫୫ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଏହି ରାସ୍ତାରେ ଥିବା ପୋଲ ନିର୍ମାଣ ପାଇଁ ବହୁ ଦିନରୁ ଦାବି ହେଉଛି । ମାତ୍ର ବିଭାଗୀୟ ଅବହେଳା ଓ ଜନପ୍ରତିନିଧିଙ୍କ ଉଦାସୀନତା ଯୋଗୁ ପୋଲ ନିର୍ମାଣ ହୋଇପାରୁନାହିଁ। ପ୍ରତିବର୍ଷ ସାମାନ୍ୟ ବର୍ଷା ହେଲେ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହୋଇ ଯାତାୟାତରେ ବ୍ୟାଘାତ ହେଉଥିବାରୁ ଏହି ଘୁଙ୍ଗିଯୋର ଉପରେ ତୁରନ୍ତ ପୋଲ ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି।
Dharitri — Odisha’s Most Trusted Odia Newspaper


