ଶୀତତାପ ନିୟନ୍ତ୍ରଣ ଓ ପରିବେଶ ତାତି

ସହଦେବ ସାହୁ
ଜୁନ୍‌ ୨୩ରେ ଖବର ବାହାରିଲା ଯେ ଏସି ମେଶିନ ତିଆରି କରୁଥିବା କମ୍ପାନୀଗୁଡ଼ିକୁ ସରକାର କହିଛନ୍ତ,ି ମେଶିନରେ ୨୪ ଡିଗ୍ରୀ ସେଲ୍‌ସିୟସ୍‌ ଡିଫଲ୍ଟ ରଖିବାକୁ, ଅର୍ଥାତ୍‌ ମଣିଷ ନ ଚାହିଁଲେ ଆପେ ଆପେ ସେତିକି ଡିଗ୍ରୀରେ ଚାଲିବ। ସରକାରଙ୍କ ପାୱାର ବିଭାଗ ଏ କଥା କାହିଁକି ଲାଗୁ କରିବାକୁ ଚାହୁଁଛନ୍ତି? ଜନମତ ନେଇ ମନ୍ତ୍ରୀ କହିଛନ୍ତି, ୨୪ରୁ ୨୬ ହେଉଛି ଆଦର୍ଶ ଟେମ୍ପରେଚର ସେଟିଂ। ତା’ଠାରୁ କମ୍‌ କଲେ ପ୍ରତି ଡିଗ୍ରୀ କମ୍‌ ପାଇଁ ପ୍ରାୟ ୬% ବିଜୁଳି ଖର୍ଚ୍ଚ ବଢ଼େ। ଜାପାନ ଭଳି କେତେକ ଦେଶ ଆଇନ କରିଛନ୍ତି ଯେ ଏସିର ଡିଫଲ୍ଟ ସେଟିଂ ୨୮ ଡିଗ୍ରୀ ସେଲ୍‌ସିୟସ ହେବ। ମୁଁ ତ ୨୮ ଡିଗ୍ରୀ ରଖେ। ଆମ ଦେଶରେ ସବୁ ଗ୍ରାହକ ଏହି ତାପମାତ୍ରା ପାଳନ୍ତେ ତ ବର୍ଷକୁ ୨୦ ବିଲିଅନ୍‌ (ଶହ କୋଟି) ୟୁନିଟ୍‌ ବିଜୁଳି ବଞ୍ଚନ୍ତା। ଭାବନ୍ତୁ – କେତେ ଲୋକ ବା ଚାଷୀ ଉପକୃତ ହୁଅନ୍ତେ, ୧୫ କୋଟି ଚାଷୀ ପରିବାର (୬୦ କୋଟି ଚାଷୀ) ବର୍ଷକୁ ୧୩୩ ୟୁନିଟ୍‌ ବା ମାସକୁ ୧୧ ୟୁନିଟ୍‌ (କିଲୋୱାଟ୍‌ ହାୱାର) ପାଆନ୍ତେ। ଇଣ୍ଟରନ୍ୟାଶନାଲ ଏନର୍ଜି ଏଜେନ୍ସି କହିଛି, ୧୯୯୦ ପରଠାରୁ ଭାରତରେ ଶୀତଳୀକରଣରେ ବିଜୁଳି ଖର୍ଚ୍ଚ ୧୫ ଗୁଣ ବଢ଼ିଛି।
ମୋ କୋଠରିରେ ୨୮ ଡିଗ୍ରୀ ସେଲ୍‌ସିୟସ୍‌ରେ ଏଆର୍‌କଣ୍ଡିସନର ଚଳାଇବାର କାରଣ ଏଠାରେ କହିବା ଉଚିତ ହେବ। ଆମେ ଜାଣୁ, ଆମ ଦେହର ନର୍ମାଲ ଟେମ୍ପରେଚର ୩୭ ଡିିଗ୍ରୀ ସେଲ୍‌ସିୟସ ୍‌୍‌, ଜର୍ମାନ୍‌ ଡାକ୍ତର କାର୍ଲ ୱଣ୍ଡରଲିକ୍‌ ୧୯ଶ ଶତାବ୍ଦୀରେ ଏ କଥା କହିଥିଲେ। ୨୮ ତ ତା’ଠାରୁ ୯ କମ୍‌। ତଥାପି ଯଦି ତୁମକୁ ଥଣ୍ଡା ଲାଗୁ ନାହିଁ, ତାହାର କାରଣ ଛାତ ପଙ୍ଖା ବୁଲୁନାହିଁ। ”ଆପଣ ଅବସର ପରେ ଏ କଥା କହୁଛନ୍ତି, ଆପଣଙ୍କ ଅଫିସରେ ତ ୧୮ ଡିଗ୍ରୀ ଦେଖାଉଥିବା ଏସି ଚାଲୁଥିବା ଦେଖିଛି।“ ବୋଲି ଜଣେ ବନ୍ଧୁ କହିଲେ। ମୁଁ ତାଙ୍କୁ କହିଲି, ତୁମେ ସେତେବେଳେ ମୋତେ ବି କୋଟ୍‌ ପିନ୍ଧିଥିବା ଦେଖିଥିବ। ମୁଁ ଯୋଡ଼ିଦେଇ କହିଲି, ରୁମ୍‌କୁ ଥଣ୍ଡା ବେଶି କରିବ କାହିଁକି ପୁଣି ଦେହକୁ ଗରମ ରଖିବା ଲାଗି ଗରମ ପୋଷାକ ପିନ୍ଧିିବ କାହିଁକି? ଦିଆଡୁ ଖର୍ଚ୍ଚ। ତା’ ଛଡ଼ା ଦେଖ ବାହାର ତାପ ୪୧ ଥିଲା ବେଳେ ତୁମେ ରୁମ୍‌ଟାକୁ ୧୮ ରଖିବାକୁ ଚାହିଁବ, ବାହାର ତାପ ପ୍ରାୟ ଅଢ଼େଇ ଗୁଣ, ଏସି ମେଶିନ ତ ସାରା ରୁମ୍‌କୁ ୧୮ ଡିଗ୍ରୀ କରିପାରିବ ନାହିଁ; ତେଣୁ ସବୁବେଳେ ଚାଲିଥିବ, ସବୁବେଳେ ଏସି ପଛପଟେ ପାଣି ବୋହୁଥିବ; ଅର୍ଥାତ୍‌ ବାୟୁରୁ ଜଳୀୟ ଅଂଶ କମିଯାଉଥିବ। ବହୁ ଏସି ଏମିତି ଚାଲିଲେ ବର୍ଷାଜଳ ପରିମାଣ ବି କମିବ। ୨୮ ଡିଗ୍ରୀ ସେଲ୍‌ସିୟସରେ ରଖିଲେ ପାଣି ବୋହିବ ନାହିଁ; ଶୀତତାପ ନିୟନ୍ତ୍ରକ ଯନ୍ତ୍ରଟି ବି ବେଶି ଖଟିବ ନାହିଁ।
ଦେହର ସାଧାରଣ ତାପ ୩୬.୯ ଡିଗ୍ରୀ ସେଲ୍‌ସିୟସ, ଶରୀର ସକ୍ରିୟ ରହିବା ଲାଗି ସେ ତାପ ଦରକାର। ଦିନର ସମୟ ଅନୁଯାୟୀ ଶରୀରର ହାରାହାରି ତାପ କମ୍‌ ବେଶି ହୋଇଥାଏ, ବୟସ ଭେଦରେ ମଧ୍ୟ ଶରୀରର ହାରାହାରି ତାପ ବଦଳିଥାଏ। ମହିଳାମାନଙ୍କ ଶରୀରର ହାରାହାରି ତାପ ମଧ୍ୟ ଋତୁସ୍ରାବ ଅନୁଯାୟୀ କମ୍‌ ବେଶି ହୋଇଥାଏ। ପୁଣି, କେଉଁଠୁ ମାପ ନେଉଛୁ ତା’ ଉପରେ ନିର୍ଭର କରେ ଶରୀରର ତାପ- ଯଥା କାଖ ଭିତରର ତାପ ଜିଭ ତଳର ତାପଠାରୁ ଗୋଟିଏ ଡିଗ୍ରୀ ବେଶି। ସ୍ବାଭାବିକ ତାପଠାରୁ ବେଶି ହେଲେ ଜ୍ୱର ଆସିଲାଣି ବୋଲି ଆମେ କହୁ। ବୁଢ଼ାବୁଢ଼ୀଙ୍କ ଦେହ ତାପ ରକ୍ଷା କରିପାରେ ନାହିଁ ବୋଲି କମ୍‌ ତାପରେ ବି ସେମାନେ ଜ୍ୱର ଅନୁଭବ କରନ୍ତି। ଶରୀରର ସ୍ବାଭାବିକ ତାପଠାରୁ ଉତ୍ତାପ ସାମାନ୍ୟ ବେଶି ହେଲେ ଜ୍ୱର ଆସିଲାଣି ବୋଲି ଆମେ କହୁ। ଝାଳ ବୋହିବା, ଦେହ ଥରିବା, ଚମ ତାତିବା ବା ଲାଲ ଦିଶିବା, ମୁଣ୍ଡ ବିନ୍ଧିବା, ଦେହ ବିନ୍ଧିବା, ଅବଶ ବା ଦୁର୍ବଳ ଲାଗିବା, ଭୋକ ନ ହେବା, ପାଟି ଶୁଖିଲା ଶୁଖିଲା ଲାଗିବା (ଡିହାଇଡ୍ରେଶନ) ଆଦି ଅନୁଭବ ହେଲେ ଡାକ୍ତରଙ୍କ ପରାମର୍ଶ ଦରକାର। ଅନ୍ୟଥା ଜ୍ୱର ବିପଦ ନୁହେଁ। ଏହାର ସାଧାରଣ ମାନେ ତୁମ ଦେହ ଗୋଟିଏ କିଛି ସାଙ୍ଗରେ ଲଢୁଛି। ଅନେକ କ୍ଷେତ୍ରରେ ବିଶ୍ରାମ ହିଁ ଉତ୍ତମ ଔଷଧ। କିନ୍ତୁ ଚୁପ୍‌ ରହିବା ନାହିଁ, ଯଦି ତାପ ୩୯.୪ ଡିଗ୍ରୀ ସେଲ୍‌ସିୟସ ବା୧୦୩ ଡିଗ୍ରୀ ଫାରେନ୍‌ହିଟ୍‌ରୁ ବେଶି ହୁଏ କିମ୍ବା ଜ୍ୱର ୩ ଦିନରୁ ବେଶି ରହେ ତେବେ ଡାକ୍ତର ଡାକିବା କଥା। ବାନ୍ତି, ମୁଣ୍ଡବ୍ୟଥା, ଛାତି ବଥା, ବେକ ବୁଲାଇବାରେ କଷ୍ଟ ବା ଚମରେ ଲାଲ ଦିଶିବା ବା ତଣ୍ଟି ବଥା ହେବା ଆଦି ଲକ୍ଷଣ ଥିଲେ, ଡାକ୍ତର ପରାମର୍ଶ ଦରକାର।
ଦେହର କ୍ରିୟାକଳାପ ପାଇଁ ଦେହ ନିଜକୁ ୩୭ ଡିଗ୍ରୀ ସେଲ୍‌ସିୟସ୍‌ରେ ରଖୁଛି। ଆମେ ତାକୁ କମାଇ ଯଦି ୧୪ କି ୧୮ ଡିଗ୍ରୀରେ ରଖିବା ଆମକୁ ଥଣ୍ଡା ରୋଗ, ହାଇପୋଥର୍ମିଆ, ଧରିନେବ। ଆଗକାଳରେ କେବଳ ପବନ ଚଳପ୍ରଚଳ କରିବାକୁ ଅଫିସ୍‌ମାନଙ୍କରେ ଝୁଲା ପଙ୍ଖା ବ୍ୟବହାର ହେଉଥିଲା। ଘର ଛାତ ଉଚ୍ଚ ହେଉଥିଲା। ଫଳରେ ଶରୀର ହାରାହାରି ତାପରେ ପରିବର୍ତ୍ତନ ଘଟୁ ନ ଥିଲା। ଏବେ ଆମେ ମନଇଚ୍ଛା ଏସିର ତାପ କମାଇ ପରିବେଶକୁ ନଷ୍ଟ କରୁଛୁ, ଦେହକୁ ଖରାପ କରୁଛୁ ଏବଂ ଟଙ୍କା ପଇସା ବି ଖର୍ଚ୍ଚ କରୁଛୁ। ହାଇପୋଥର୍ମିଆକୁ ଡାକି ଆଣୁଛୁ। ଯେତେବେଳେ ଶରୀର ତାହାର ତାପ ବହୁ ପରିମାଣରେ ହରାଏ ସେତେବେଳେ ହାଇପୋଥର୍ମିଆ ରୋଗ ହୁଏ। ବହୁ ସମୟଧରି ଥଣ୍ଡାପାଗରେ ବାହାରେ ରହିଲେ ହାଇପୋଥର୍ମିଆ ଆସେ। ଆମେ ଘର ଭିତରେ ଏସି ଲଗାଇ ହାଇପୋଥର୍ମିଆକୁ କାହିଁକି ଡାକିଆଣିବା? ଗ୍ରୀଷ୍ମଋତୁରେ ଆମକୁ ହାଇପୋଥର୍ମିଆ ହେବା ଅର୍ଥ ନିଜ ଧନରେ ରୋଗ କିଣିବା, ଗୁଡ଼ାଏ ଗରମ ପୋଷାକ କିଣିବା ଏବଂ ପୁଣି ଡାକ୍ତରକୁ ଖୋଜିବା।
ପ୍ରତି ଡିଗ୍ରୀ କମାଇବା ପାଇଁ ଯେତେ ବିଜୁଳି ଖର୍ଚ୍ଚ ହୁଏ ତାହା ସାଧାରଣ ବଜୁଳି ଖର୍ଚ୍ଚର ୩ଗୁଣ ଓ ସେ ଥଣ୍ଡା ସମ୍ଭାଳି ପାରିବୁ ନାହିଁ ବୋଲି କୋଟ୍‌ ପିନ୍ଧୁଛୁ। ଯଦି ଦେହର ହାରାହାରି ତାପ ଅନୁଯାୟୀ ଖରାଦିନେ ବି ଏସିକୁ ୩୫ରୁ ୩୭ ଭିତରେ ରଖାଯାଇପାରନ୍ତା ତେବେ ବିଜୁଳି ଖର୍ଚ୍ଚ ବହୁତ କମିଯାଆନ୍ତା। ଜଳବାୟୁ ପରିବର୍ତ୍ତନ ଆଣୁଥିବା କାର୍ବନ ଏମିସନ୍‌ (ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ) କମିଯାଆନ୍ତା। ବିଦେଶୀଙ୍କୁ ଅନୁକରଣ କରିଆସୁଥିବା ମାନସିକତା ଆମକୁ ବିଜୁଳି ଖର୍ଚ୍ଚ ବଢ଼ାଇବାରେ ପ୍ରେରଣା ଦେଉଛି। କାମରେ ମନ ଲାଗିବା ପାଇଁ ଏବଂ ରାତିଏ ଭଲ ଶୋଇବା ପାଇଁ ଲୋକେ ଏଆର୍‌କଣ୍ଡିସନିଂ ଚାହାନ୍ତି। କିନ୍ତୁ ଏସି ଯନ୍ତ୍ର ବାହାରକୁ ଗରମ ପବନ ଛାଡ଼େ, ପାଖଆଖରେ ଏକ ତାପ-ଦ୍ୱୀପ (ଅର୍ବାନ୍‌ ହିଟ୍‌ ଆଇଲାଣ୍ଡ) ପ୍ରଭାବ ତିଆରି କରେ, ସହରର ତାପ ବଢ଼େ। ଜର୍ମାନୀରେ ଏସି ବ୍ୟବହାର ନ ଥିଲା। ସମ୍ପ୍ରତି ୩୭ ଡିଗ୍ରୀ ତାପ ଆସିଯିବାରୁ ଜର୍ମାନୀରେ ବି ଏସି କିଣିବା ଆରମ୍ଭ କରିଦେଲେ। ଗତ କେଇ ଦଶନ୍ଧି ଭିତରେ ଚାଇନାରେ ଅଧାଅଧି ପରିବାର ଏସି ବ୍ୟବହାର କଲେଣି। ଭାରତ ଓ ଇଣ୍ଡୋନେସିଆର ୧୬୦ କୋଟି ଲୋକଙ୍କ ଭିତରୁ ୮କୋଟି ୮୦ ଲକ୍ଷ ଲୋକ ଏସି ବ୍ୟବହାର କଲେଣି। (ବ୍ଲୁମ୍‌ ବର୍ଗ ନିୟୁ ଏନର୍ଜି ଫାଇନାନ୍ସଙ୍କ ରିପୋର୍ଟ)ା ଲୋକଙ୍କ ସମୃଦ୍ଧି ବଢୁଥିବା ଏବଂ ଏସିର ଦାମ୍‌ କମୁଥିବାରୁ ଏ ଶତାବ୍ଦୀର ମଧ୍ୟଭାଗକୁ ଏସି ମେଶିନ ସଂଖ୍ୟା ୧୬୦କୋଟିରୁ ୫୬୦ କୋଟିକୁ ବଢ଼ିଯିବ (ଇଣ୍ଟରନ୍ୟାଶନାଲ ଏନର୍ଜି ଏଜେନ୍ସି)ା ପାଗ ଯେତେ ଗରମ ହେବ ଲୋକେ ସେତେ ବେଶି ଏସି କିଣିବେ, ଏସି ସଂଖ୍ୟା ବଢ଼ିଲେ ସହରର ତାପ ବଢ଼ିବ। ଏ ଏକ ଚକ୍ର। ଦେହ ପରିବେଶ ସହ ତାଳ ରଖିପାରିବ ନାହିଁ ତ ମହାମାରୀ ଦେଖାଦେବ। ଯଦି ଏସିକୁ ୨୮ରୁ ୩୦ ଡିଗ୍ରୀ ସେଲ୍‌ସିୟସ ଭିତରେ ରଖିବା ଓ ପଙ୍ଖା ଚଲାଉଥିବା, ତେବେ କୋଠରି ଭିତରଟା ଥଣ୍ଡା ଲାଗିବ ଓ ଦେହର ବି କିଛି କ୍ଷତି ହେବ ନାହିଁ ଅଥଚ ବିଜୁଳି ଖର୍ଚ୍ଚ କମିବ।
ୟୁରୋପୀୟମାନେ ନାତିଶୀତୋଷ୍ଣ ଅଞ୍ଚଳର ବାସିନ୍ଦା, ସେମାନଙ୍କ ଘରେ ଏୟାର କଣ୍ଡିଶନ ବା ଫ୍ୟାନ୍‌ ବ୍ୟବହାର ନାହିଁ। ବରଂ ଘରକୁ ଗରମ ରଖିବା ପାଇଁ ଝରକା କବାଟ ବନ୍ଦ କରିଥାଆନ୍ତି। ଉପନିବେଶ ଶାସନ କଲାବେଳେ ଗ୍ରୀଷ୍ମକାଳୀନ ପରିସ୍ଥିତିକୁ ଅସମ୍ଭାଳ ମନେକରି ସମୁଦ୍ର ପତ୍ତନରୁ ଖୁବ୍‌ ଉଚ୍ଚ ସ୍ଥାନରେ ଗ୍ରୀଷ୍ମନିବାସ କଲେ, ଏସି ଯନ୍ତ୍ର ଆସିଗଲା ପରେ ଉଷ୍ଣ ସହରରେ ତାହାର ବ୍ୟବହାର ବଢ଼ାଇଲେ। ବିଲାତରେ ବାହାରର ତାପମାତ୍ରା ଗ୍ରୀଷ୍ମଋତୁରେ ୧୨ ଡିଗ୍ରୀ ଥିଲାବେଳେ ସେମାନେ ଘର ବନ୍ଦକରି ୧୭-୧୮ ଡିଗ୍ରୀକୁ ଉଠାନ୍ତି। ସବୁଦିନେ ଗରମ ପୋଷାକ ପିନ୍ଧିଥାନ୍ତି। ପାଣିକୁ ଗରମ କରିବାରେ ଖର୍ଚ୍ଚ କରିବା ଅପେକ୍ଷା ତନ୍ତୁ କାଗଜରେ ଝାଡ଼ା ପୋଛନ୍ତି। ଆମ ପରିବେଶ ଗରମ। ତାକୁ କମାଇ ଶରୀରର ତାପ ୩୭ ଡିଗ୍ରୀଠାରୁ କମ୍‌ କରିବା କ’ଣ ଦରକାର?
ଇମେଲ୍‌ : sahadevas@yahoo.com


All Right Reserved By

ଆଜିର ଅର୍ଥନୀତି/ବଜାରରୁ ସୂଚନା

୨୦୧୯ ନିର୍ବାଚନ ଫଳାଫଳର ବହୁଳାଂଶ ଏବେ ସ୍ପଷ୍ଟ ହୋଇଯାଇଛି, ତଥାପି ଅନେକ କିଛି ଖବରକାଗଜ ମୁଦ୍ରଣ ସୁଦ୍ଧା ବାକି ରହିଯାଇଛି। ଜଣାପଡ଼ିଥିବା ଫଳାଫଳରୁ ଏହା ସ୍ପଷ୍ଟ...

ଏଇ ଭାରତରେ

କେତେକ ବ୍ୟକ୍ତି ନିଜର ସ୍ବାସ୍ଥ୍ୟକୁ ଜଳାଞ୍ଜଳି ଦେଇ ଅର୍ଥ ରୋଜଗାର କରିଥାଆନ୍ତି। ଏଭଳି ଏକ ଘଟଣା ମହାରାଷ୍ଟ୍ରର ବିଡ୍‌ ଜିଲାରେ ଦେଖିବାକୁ ମିଳୁଛି। ଅଧିକ ଅର୍ଥ...

ନୀଳ ବିପ୍ଳବର ଶୁଭାରମ୍ଭ

ଡ. ବିନ୍ଦୁ ଆର୍‌. ପିଲାଇ, ଡ. ବିଭୁଦତ୍ତ ମିଶ୍ର ୨୦୦୧ ମସିହାରୁ ଭାରତ ସରକାର ୧୦ ଜୁଲାଇକୁ ଜାତୀୟ ମତ୍ସ୍ୟପାଳକ ଦିବସ ଭାବେ ପାଳନ କରିଆସୁଛନ୍ତି।...

ପୋଷାପ୍ରାଣୀ ଓ ଆଲର୍ଜି

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ମୁଁ ଅନେକ ମାଆଙ୍କୁ ଭେଟିଛି ଯେଉଁମାନେ ନିଜ ପିଲାଙ୍କୁ ଖାଲି ପାଦରେ ଘରେ, ବାହାରେ ବା ପାର୍କରେ ଚାଲିବାକୁ, ଗେଣ୍ଡାଶାମୁକା...

ଉଦ୍ଭାବନରେ ପଛୁଆ

ଆକାର ପଟେଲ କିଛି ସପ୍ତାହ ତଳେ ଭାରତରେ ସ୍ମାର୍ଟଫୋନ୍‌ ଶିଳ୍ପ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଖାଉଟି ଅର୍ଥନୀତିର ଏହା ଅନ୍ୟତମ ଅତି ଗୁରୁତ୍ୱପୂର୍ଣ୍ଣ...

ସେମାନେ ମନେପଡ଼ନ୍ତି

ଡ. ଛାୟାକାନ୍ତ ଷଡ଼ଙ୍ଗୀ ଆଜି ଆଉ ରାଜତନ୍ତ୍ର ନାହିଁ। ଆସିଛି ଗଣତନ୍ତ୍ର। ଏବେ ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧି ଶାସନ କରୁଛନ୍ତି। ଯେହେତୁ ଜନସାଧାରଣ ନିଜ...

ସମ୍ପାଦକୀୟ/କଠୁଆ: ଦଣ୍ଡ ନୁହେଁ, କ୍ଷମା

ବହୁଚର୍ଚ୍ଚିତ କଠୁଆ ବଳାତ୍କାର ଓ ହତ୍ୟା ମାମଲାର ରାୟ ୧୦ ଜୁନ୍‌ ୨୦୧୯ରେ ପ୍ରକାଶ ପାଇଛି। ୭ ଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ...

ବିଲୁପ୍ତି ପଥେ ଜୈବବିବିଧତା

ବସନ୍ତ କୁମାର ଦାସ ଆମ ପରିବେଶରେ ବଞ୍ଚି ରହିଥିବା ସମସ୍ତ ଜୀବଜନ୍ତୁ, ଗଛଲତା, କୀଟପତଙ୍ଗ ଓ ଅଣୁଜୀବମାନଙ୍କର ଉପସ୍ଥିତି ଓ ଅବସ୍ଥିତିକୁ ଜୈବବିବିଧତା କୁହାଯାଏ। ଜୀବମାନଙ୍କର...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *